ଟୋକିଓ ପାରାଲିମ୍ପିକ୍ସ : ସ୍ୱର୍ଣ୍ଣ ଠାରୁ ଗୋଟିଏ ପାଦ ଦୂରରେ ଓଡ଼ିଆ ପୁଅ ପ୍ରମୋଦ୍ ଭଗତ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ SL3 ଶ୍ରେଣୀ ସେମିଫାଇନାଲରେ  ଜାପାନରେ ଫୁଜିହାରାକୁ ୨-୦ ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ସେମିଫାଇନାଲରେ ୨୧-୧୧, ୨୧-୧୬ରେ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଖେଳାଳି ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନଥିବା ବେଳେ ପ୍ରମୋଦଙ୍କ ପାଖରେ ପ୍ରଥମ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି ।

ସେ ଆଜି ଅପରାହ୍ନ ୩ଟାରେ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା କରିବେ । ପ୍ରମୋଦ ଫାଇନାଲରେ ପହଞ୍ଚିବା ସହିତ ଭାରତ ପାଇଁ ୧୪ ତମ ପଦକ ନିଶ୍ଚିତ କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିସାରିଛି । ବ୍ୟାଡମିଣ୍ଟନରେ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ସାଇନା ନେହୱାଲ ବ୍ରୋଞ୍ଜ, ରିଓ ୨୦୧୬ ରେ ରୌପ୍ୟ ଏବଂ ଟୋକିଓ ୨୦୨୦ରେ ସିନ୍ଧୁ ବ୍ରୋଞ୍ଜ ଜିତିଛନ୍ତି । ଫାଇନାଲରେ ପହଞ୍ଚିବା ପରେ ପ୍ରମୋଦ ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନରେ ପଦକ ଜିତିଥିବା ପ୍ରଥମ ପୁରୁଷ ଖେଳାଳି ହୋଇ ପାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଥର ପ୍ରଥମ ଥର ପାଇଁ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳକୁ ଅନ୍ତର୍ଭୁକ୍ତ ହୋଇଛି । ଭାରତ ବ୍ୟାଡମିଣ୍ଟନରେ ପ୍ରମୋଦଙ୍କ ପଦକ ବ୍ୟତୀତ ଆଉ ୪ ଟି ପଦକ ଜିତିପାରେ । ପ୍ରମୋଦ ଭଗତ ଏବଂ ତାଙ୍କ ସହଯୋଗୀ ପଲକ କୋହଲି ଶୁକ୍ରବାର ଦିନ ବ୍ୟାଡମିଣ୍ଟନ ମିଶ୍ରିତ ଡବଲ୍ସ ଇଭେଣ୍ଟର ସେମିଫାଇନାଲ କ୍ୱାଲିଫାୟ କରିଛନ୍ତି । ସିଙ୍ଗଲ୍ସରେ ସୁହାସ୍ ୟଥିରାଜ, ତରୁଣ ଢ଼ିଲୋନ୍ ଏବଂ ମନୋଜ ସରକାର ମଧ୍ୟ ଶେଷ ୪ଟି ରେ ସ୍ଥାନ ପାଇଛନ୍ତି । 

Related Posts