
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳିକୁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିନାହିଁ। ନିକଟରେ ସୁପ୍ରିମକୋର୍ଟର କଲେଜିୟମ ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରିବାକୁ ସୁପାରିସ କରିଥିଲେ। କଲେଜିୟମର ଜଷ୍ଟିସ ଏସ ମୁରଲୀଧରଙ୍କ ବ୍ୟତୀତ ଅନ୍ୟ ବିଚାରପତିଙ୍କ ମଧ୍ୟ ବଦଳି ପାଇଁ ସୁପାରିଶ କରିଥିଲା।ମଙ୍ଗଳବାର ଏ ନେଇ କେନ୍ଦ୍ର ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ସୁପ୍ରିମକୋର୍ଟର କଲେଜୟିମ ଅନୁଯାୟୀ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ହେଲେ ଏହି ତାଲିକାରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ବଦଳି ନେଇ କୌଣସି ସୂଚନା ନାହିଁ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଜମ୍ମୁ-କଶ୍ମୀର ଓ ଲଦାଖର ମୁଖ୍ୟ ବିଚାରପତି ଜଷ୍ଟିସ୍ ପଙ୍କଜ ମିଥଲ୍ଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ଭାବେ ବଦଳି କରାଯାଇଛି। କଲେଜିୟମ ସେପ୍ଟେମ୍ବର ୨୮ରେ ଏହି ବଦଳି ନେଇ ସୁପାରିଶ କରିଥିଲେ। ଏଥିସହିତ କର୍ଣ୍ଣାଟକ, ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ତରଫରୁ ମଧ୍ୟ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। କିନ୍ତୁ ମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧରଙ୍କ ବଦଳି ପ୍ରସଙ୍ଗରେ ରହିଥିବା ସୁପ୍ରିମକୋର୍ଟ କଲେଜିୟମ ସୁପାରିସ ଉପରେ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ଫଳରେ ଏସଂପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।