
ୱାଶିଂଟନ୍ – ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ପାକିସ୍ତାନ ଉପରେ ଟାର୍ଗେଟ୍ କରିଛନ୍ତି । ଏକ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ଟ୍ରମ୍ପ୍ କହିଛନ୍ତି ଯେ ପାକିସ୍ତାନ ମୁର୍ଖ । ଆମେରିକା ବହୁ କୋଟି ଡଲାର ଦେଲା, କିନ୍ତୁ ଓସାମା ବିନ୍ ଲାଡେନ୍ ତାଙ୍କରି ଦେଶରେ ଲୁଚିଥିଲା ବୋଲି ପାକିସ୍ତାନ କହିଲା ନାହିଁ । ପାକିସ୍ତାନକୁ ସୈନ୍ୟ ସହାୟତା ବନ୍ଦ କରାଯିବା ସପକ୍ଷରେ ଟ୍ରମ୍ପ କହିଛନ୍ତି ଯେ ଇସଲାମାବାଦ୍ ଆତଙ୍କବାଦକୁ ଶେଷ କରିବାକୁ କୌଣସି ପଦକ୍ଷେପ ନେଉନାହିଁ ।
ଟ୍ରମ୍ପ୍ଙ୍କ କହିବା ଅନୁସାରେ ‘ପାକିସ୍ତାନକୁ ଆମେ ଦୀର୍ଘ ସମୟ ଧରି କୋଟି କୋଟି ଡଲାର ଦେଇ ଆସୁଥିଲୁ । ସେ ଆମର ପଇସା ନେଇ କିଛି ବି କରୁ ନ ଥିଲା । ଲାଡେନ୍ ଏହାର ଉଦାହରଣ । ଆଫଗାନିସ୍ତାନ ମାମଲାରେ ବି ଆପଣ ଏହା ହିଁ ଦେଖିପାରିବେ । ପାକିସ୍ତାନ ସେହି ସବୁ ଦେଶ ମାନଙ୍କ ଭିତରୁ ଗୋଟିଏ ଯିଏ ଆମେରିକାକୁ କିଛି ନ ଦେଇ ବହୁତ କିଛି ନେଇଯାଇଛି । କିନ୍ତୁ ଆମେ ଏ ସବୁ ବନ୍ଦ କରିଦେଇଛୁ । ’’ ଟ୍ରମ୍ପ ଚଳିତବର୍ଷ ଜାନୁୟାରୀରେ ଏକ ଟ୍ବିଟ୍ କରି ପାକିସ୍ତାନକୁ ଦିଆଯାଉଥିବା ସୁରକ୍ଷା ଓ ସୈନ୍ୟ ସହାୟତା ଶେଷ କରିବାର କଥା କହିଥିଲେ ।
ଆମେରିକୀୟ ଅର୍ଥର ଦୁରୁପଯୋଗ କରେ ପାକିସ୍ତାନ
ଟ୍ରମ୍ପ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ପାକିସ୍ତାନ ଏକ ଅସସ୍ତୁଷ୍ଟ ସହାୟକ ଭୂମିକାରେ ଅଛି । ସେ ଆମ ଅର୍ଥର ଦୁରୁପଯୋଗ କରିଆସିଛି । ବିନ୍ ଲାଡେନ୍କୁ 2011ରେ ଏବଟାବାଦରେ ଯେଉଁ ସମୟରେ ହତ୍ୟା କରାଗଲା, ତା ପୂର୍ବରୁ ତାକୁ ଧରାଯାଇପାରିଥାନ୍ତା ।