ସମନ Vs ସମନ ! ବିଜେପି ନେତା ଗୋଲକ ଓ ଭୃଗୁଙ୍କୁ ପୋଲିସ୍‌ର ନୋଟିସ୍‌

ବିଜେଡିର ଦୁଇ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ୍‌ ଖବରର କେଇ ଘଣ୍ଟା ଭିତରେ ବିଜେପିର ଦୁଇ ନେତାଙ୍କୁ ଆସିଛି ପୋଲିସ ନୋଟିସ୍ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୋଲିସ ନୋଟିସ୍‌ ଜାରି କରିଛି । ଫେବ୍ରୁଆରୀ ୭ରେ ଭୃଗୁ ଓ ୯ରେ ଗୋଲକଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛନ୍ତି ତଦନ୍ତକାରୀ ଥାନା ଅଧିକାରୀ ।

ଏହି ମାମଲାରେ ପୂର୍ବରୁ ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇଥିଲେ । ୨୦୧୭, ସେପଟେମ୍ବରରେ ଛତ୍ରପୁରର ତତ୍କାଳୀନ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚ୍ଚନଙ୍କୁ ତାଙ୍କ ଘର ଆଗରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ୨୦ରୁ ଅଧିକ ଯୁବକ । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏ ମାମଲାରେ ଡେରାଡୁନରୁ ଗିରଫ ହୋଇଥିଲେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀ । ଦୁହେଁ ପୋଲିସ ଆଗରେ କହିଥିଲେ ଯେ ହତ୍ୟାକାଣ୍ଡ ପରେ ନିରାପଦ ଆଶ୍ରୟ ପାଇଁ ସେମାନଙ୍କୁ ଡେରାଡୁନ ପଳାଇ ଯିବାକୁ କହିଥିଲେ ବିଜେପି ନେତା ଗୋଲକ ମହାପାତ୍ର ।

Related Posts