ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ଦୁଇ ନୂଆ ଦଳୀୟ ନାମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରାଜନୀତିରେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦଳର ନାମ ଓ ଚିହ୍ନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ମିଳିଛି । କିଛି ଦିନ ଧରି ଉଦ୍ଧବଙ୍କ ଗୋଷ୍ଠୀ ଏବଂ ଏକନାଥଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ବିବାଦର ସମାଧାନ କରିବାକୁ ଯାଇ କୋର୍ଟ ନିର୍ବାଚନ କମିଶନଙ୍କୁ ନିଷ୍ପତ୍ତି ନେବାକୁ ନିର୍ଦେଶ ଦେଇଥିଲେ । ଶେଷରେ ନିର୍ବାଚନ କମିଶନ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି ।ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ନିର୍ବାଚନ ଚିହ୍ନ ଭାବରେ ମିଳିଛି ମଶାଲ ଚିହ୍ନ । ଏହା ସହ ଉଦ୍ଧବ ଗୋଷ୍ଠୀଙ୍କୁ ଦଳର ନାମ ମିଳିଛି ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ।

ସେପଟେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଦଳର ନୂଆ ନାମ ‘ବାଲାସାହେବଚି ଶିବସେନା’ ମିଳିଛି । ଯାହାର ଅର୍ଥ ହେଉଛି ବାଲସାହେବଙ୍କ ଶିବସେନା । ଏହି ଦୁଇ ନୂଆ ନାମରେ ରାଜ୍ୟରେ ହେବାକୁଥିବା ଆଗାମୀ ଉପନିର୍ବାଚନରେ ଭାଗନେବେ ଦୁଇ ଦଳ । ତେବେ ସିନ୍ଦେ ଗୋଷ୍ଠୀଙ୍କୁ ଦଳୀୟ ଚିହ୍ନ ପାଇଁ ତିନୋଟି ଚିହ୍ନ ବାଛିବା ପାଇଁ କୁହାଯାଇଛି । ସିନ୍ଦେ ଗୋଷ୍ଠୀ ଗଦା ଓ ତ୍ରିଶୁଳ ନିର୍ବାଚନ ଚିହ୍ନ ଚାହିଁଥିଲେ । ତେବେ ଏହି ଦୁଇ ଚିହ୍ନ ଧାର୍ମିକ ଚିହ୍ନ ହୋଇଥିବାରୁ ନିର୍ବାଚନ କମିଶନ ଏହାକୁ ଗ୍ରହଣ କରିନାହାଁନ୍ତି । ପୂର୍ବରୁ ଶିବସେନାର ଦଳୀୟ ଚିହ୍ନ ଧନୁ ତୀର କୁ ନିର୍ବାଚନ କମିଶନ ନିଷିଦ୍ଧ କରିଦେଇଛନ୍ତି । ନୂଆ ନାମ ଓ ଚିହ୍ନ ମିଳିବା ପରେ ଉଦ୍ଧବ ଠାକରେ ମଶାଲ ଧରି ତାଙ୍କ ସମର୍ଥକଙ୍କ ସହ ଖୁସି ମନାଇଛନ୍ତି । ଏହାକୁ ଏକ ବଡ ବିଜୟ ବୋଲି କହିଛନ୍ତି ଉଦ୍ଧବ ଠାକରେ।

Related Posts