ୟୁଜି ସିଲାବସ୍‌ରେ ସାମିଲ ହେଲା ‘ବିପର୍ଯ୍ୟୟ ପରିଚାଳନା’: + ୩ର ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷ ପିଲାଙ୍କ ପାଇଁ ବାଧ୍ୟତାମୂଳକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଏଣିକି ଯୁକ୍ତ ୩ ସିଲାବସ୍ ରେ ସାମିଲ୍ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଶୁକ୍ରବାର ଦିନ ଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସୂଚନା ମୁତାବକ, ଯୁକ୍ତ ୩ର ସମସ୍ତ ଷ୍ଟ୍ରିମ ପ୍ରଥମ ବର୍ଷରେ ବିପର୍ଯ୍ୟୟ ପରିଚାଳନା ବିଷୟରେ ପଢାଯିବ ।

 ଏହାକୁ ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ସାମିଲ ହେବ । ଏହା ମୋଟ୍ ୧୦୦ ମାର୍କ ଯୁକ୍ତ ପେପର ସହ ୪ ୟୁନିଟ ବିଶିଷ୍ଟ ହେବ । ଏହି ବିଷୟକୁ ସାମିଲ କରିବା ପାଇଁ ଓଡିଶା ସରକାର ମେ ମାସ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା । ଓଡିଶା ରାଜ୍ୟ ଉଚ୍ଚ ଉଚ୍ଚ ଶିକ୍ଷା ପରିଷଦ ସ୍ନାତକ ସ୍ତରରେ ପ୍ରଚଳିତ ମଡେଲ ‘ପରିବେଶ ବିଜ୍ଞାନ’ ସିଲାବସକୁ ପରିବେଶ ଶିକ୍ଷା ଓ ବିପର୍ଯ୍ୟ ପରିଚାଳନାରେ ପରିବର୍ତ୍ତନ କରିଛନ୍ତି ।

   କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ” ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଜୈବିକ ହେଉ ବା ଜଳବାୟୁଜନିତ, ତା’ର ସମ୍ମୁଖୀନ ହେବାକୁ ଭବିଷ୍ୟତ ପିଢିଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ । ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ।”  

Related Posts