ୟୁକ୍ରେନ ଓ ଋଷ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ଭାରତର ନୀରବତା ଉପରେ ଉଠିଛି । ୟୁକ୍ରେନ ସହାୟତା ପାଇଁ ବିଶ୍ବର ଅନେକ ଦେଶ ଗୁଡ଼ିକୁ ସହାୟତା ମାଗି ଚାଲିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଆଜି ଉଭୟ ନେତାଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ଏନେଇ ଆଜି (ଶନିବାର) ଜେଲେନସ୍କି ନିଜେ ଟ୍ବିଟରରେ ସୂଚନା ଦେଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଟୁଇଟରେ କହିଛନ୍ତି, ୟୁକ୍ରେନକୁ ଋଷ ଆକ୍ରମଣ ଜାରି ରଖିଥିବାବେଳେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୂଚନା ଆଦାନ ପ୍ରଦାନ କରାଯାଇଛି । ସେହିପରି ୟୁକ୍ରେନକୁ ରାଜନୈତିକ ସମର୍ଥନ ଦେବାକୁ ଭାରତକୁ ଅନୁରୋଧ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ନାଟୋ, ଜି-୭ ରାଷ୍ଟ୍ରର ଧମକକୁ ବେଖାତିର୍ କରି ଆକ୍ରମଣ କରୁଛନ୍ତି ପୁଟିନ । ସେପଟେ ଋଷକୁ ଏକଘରକିଆ କରିବା ପାଇଁ ଆମେରିକା ସବୁ ପ୍ରକାର ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମେରିକା ପକ୍ଷରୁ ଋଷ ବିରୋଧରେ ଅଣାଯାଇଥିବା ଏକ ଚିଠା ପ୍ରସ୍ତାବ ଉପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଭୋଟ ପଡିଥିଲା । ବିନା ସର୍ତ୍ତରେ ତୁରନ୍ତ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ପ୍ରସ୍ତାବରେ ଦାବି କରାଯାଇଥିଲା ।