୧୪ ଦିନରେ ପହଞ୍ଚିଛି ଋଷ- ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ । ଋଷ ସେନା ଙ୍କ ଲଗାତାର ଆକ୍ରମଣ ରେ ସବୁ କିଛି ଧ୍ଵଂସ ହେବାକୁ ବସିଲାଣି । ସେପଟେ ଜୀବନ ବିକଳରେ ଦେଶ ଛାଡ଼ିବା ରେ ଲାଗିଛନ୍ତି ସମସ୍ତେ । ଏଯାବତ୍ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡ଼ିସାରିଲେନି। ଯେଉଁମାନେ ପ୍ରଥମେ ପ୍ରଥମେ ୟୁକ୍ରେନକୁ ସହାୟତା ଦେବାକୁ ବାହାସ୍ପୋଟ ମାରୁଥିଲେ ସେମାନେ ନିଷ୍କ୍ରିୟ ହୋଇ ରହିଛନ୍ତି । ଏପରି ସ୍ଥିତିରେ ସାରା ବିଶ୍ୱକୁ ଅଭିମାନ ଭରା ଚିଠି ଲେଖି ମନର କ୍ଷୋଭକୁ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ତ୍ରୀ ତଥା ୟୁକ୍ରେନର ପ୍ରଥମ ମହିଳା ନାଗରିକ ଓଲେନା ଜେଲେନସ୍କି ।
ଋଷ ନିଜର ଆଧିପତ୍ୟ ବିସ୍ତାର କରିବାକୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ତଥାପି ଏହାର ସାମନା କରି ଏଯାଏଁ ନିଜ ଦେଶକୁ ସୁରକ୍ଷିତ ରଖିପାରିଛନ୍ତି ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ଜୀବନ ଥିବାଯାଏଁ ଶତ୍ରୁକୁ ଏପରି ପ୍ରତିହତ କରିଚାଲିଥିବେ ମଧ୍ୟ । ହେଲେ ଏପରି ବିପଦରେ ସମସ୍ତେ ବାଟ କାଢି ଚାଲିଯାଇଛନ୍ତି । ଯେଉଁ ନାଟୋ ପାଇଁ ଆଜି ଏତେ ସମସ୍ୟା ତାହା ମଧ୍ୟ ଚାହିଁଲା ନାହିଁ । କେବଳ ସ୍ଥଳ ନୁହେଁ ଆକାଶ ପଥରେ ଆସି ୟୁକ୍ରେନକୁ ଧୂଳିସାତ୍ କରୁଛି ଋଷ ।
ତେଣୁ ଦୟାକରି ୟୁକ୍ରେନର ଆକାଶ ସୀମା ଉପରେ ଋଷ ପାଇଁ ପ୍ରତିବନ୍ଧକ ଲଗାଇବା ପାଇଁ ଓଲେମା ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି । ଏହାପରେ ପରମାଣୁ ଆକ୍ରମଣ ପ୍ରସଙ୍ଗ ଉଠାଇ ଲେଖିଛନ୍ତି ଯେ, ଋଷ ସବୁବେଳେ ପରମାଣୁ ଆକ୍ରମଣ ଧମକ ଦେଉଛି । ହେଲେ ଯଦି ୟୁକ୍ରେନ ଏଥିରେ ଧ୍ୱଂସ ହୋଇଯାଏ ତେବେ କୌଣସି ଦେଶ ଆଉ ସୁରକ୍ଷିତ ରହିବ ନାହିଁ ଏହା ନିଶ୍ଚିତ । ଏଭଳି ଏକଛତ୍ରବାଦ ନୀତି ସାରା ବିଶ୍ୱରେ ବିସ୍ତାର ଲାଭ କରିବାକୁ ବେଶି ସମୟ ଲାଗିବ ନାହିଁ । ତେଣୁ ଏହାକୁ ଗୁରୁତର ସହ ନେଇ ଯଥାଶିଘ୍ର ବିଚାର କରିବାକୁ ନିବେଦନ କରିଛନ୍ତି ଓଲେନା ଜେଲେନସ୍କି ।
