ଢେଙ୍କାନାଳ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା: ଶିକ୍ଷୟିତ୍ରୀଙ୍କ କାନ ଧରି ସ୍କୁଲ ବାହାରକୁ ତଡି ଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଶିକ୍ଷୟିତ୍ରୀଙ୍କ କାନ ଧରି ସ୍କୁଲ ବାହାରକୁ ତଡି ଦେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ଏନେଇ ପୀଡ଼ିତ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ଏହି ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ସୌଦାମିନୀ ଦେହୁରୀ। ଏଭଳି ଘଟଣା ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ଜଣାଇଥିଲେ। ହେଲେ ସମସ୍ୟାର ସମାଧାନ କିମ୍ବା ଆଶ୍ୱାସନା ପାଇବା ବଦଳରେ ସେଠାରେ ମଧ୍ୟ ତାଙ୍କୁ ଅସମ୍ମାନିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେ GPF ଟଙ୍କା ଉଠେଇବା ପାଇଁ ଗତକାଲି ପ୍ରଧାନ ଶିକ୍ଷୟତ୍ରୀ ମିନତି ଦେହୁରୀଙ୍କ ନିକଟକୁ ଆବଶ୍ୟକ ଅନୁମୋଦନ ଦସ୍ତଖତ ଆଣିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏଭଳି ଦୁର୍ବ୍ୟବହାର ସମ୍ପର୍କରେ ସେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି।

ସୌଦାମିନୀ କହିଛନ୍ତି, ତାଙ୍କ ଝିଅ ଏକ ବଡ଼ କମ୍ପାନୀରେ ଚାକିରି ପାଇଛି। ଆସନ୍ତା ୨୧ରେ ସେ ଚାକିରିରେ ଯୋଗଦେବାକୁ ଚିଠି ଆସିଛି। ତେଣୁ ତା’ର ଯିବା ନିମନ୍ତେ ଆବଶ୍ୟକ ଟଙ୍କା ଯୋଗାଡ଼ ନିମନ୍ତେ ସେ ଜିପିଏଫ୍ ଟଙ୍କା ଉଠାଇବାକୁ ମନସ୍ଥ କରି ସ୍କୁଲକୁ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟକୁ ଆସିଥିଲେ। ହେଲେ ନିବେଦନ ଶୁଣିବା ପରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କ ଅଫିସ୍‌ ରୁମ୍ ଛାଡ଼ି ପଳାଇଥିଲେ। ବହୁ ସମୟ ପରେ ଗୋଟିଏ କ୍ଲାସ ରୁମ୍‌ରୁ ବାହାରିଥିଲେ। ସେ ସେଠାରେ ପହଞ୍ଚି ପୁନଶ୍ଚ ଅନୁମୋଦନ ଦେବାକୁ କହିଥିଲେ। ହେଲେ ପ୍ରଧାନଶିକ୍ଷୟିତ୍ରୀ ରାଗରେ ତାଙ୍କ କାନକୁ ଧରି ବାହାରକୁ ବାହାର କରିଦେଇଥିଲେ ଏବଂ କହିଥିଲେ ଯାଆ ଛୁଟି ସରିଲେ ଆସିବୁ।

ପ୍ରଧାନଶିକ୍ଷୟିତ୍ରୀ ସ୍କୁଲରେ ହଇରାଣ କରୁଥିବାରୁ ସେ ଚଳିତ ମାସ ପହିଲାରୁ ଛୁଟିରେ ଅଛନ୍ତି। କେବଳ ଜରୁରୀ ପଡ଼ିଲା ବୋଲି ସ୍କୁଲ ଯାଇଥିଲେ। ହେଲେ ସେଠାରେ ତାଙ୍କ ସହ କୁକୁର ଭଳି ବ୍ୟବହାର କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ପ୍ରାଇମେରୀ ଟିଚରଙ୍କୁ ଭଲ ପାଆନ୍ତି ନାହିଁ, ସେକେଣ୍ଡାରୀ ଟିଚରଙ୍କୁ ଭଲ ପାଆନ୍ତି। ଯାହା ତାଙ୍କୁ କାମ କରିବା ସମୟରେ ଦେଖିବାକୁ ମିଳିଥିଲା।

ସେ ଏହି ସ୍କୁଲରେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପିଲାମାନଙ୍କ ପାଠପଢ଼ାଇବା ନିମନ୍ତେ ନିୟୋଜିତ ହୋଇଛନ୍ତି। ହେଲେ ଏଠାରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଜୋରଜବରଦସ୍ତି ୯ମ ଶ୍ରେଣୀ ପିଲାଙ୍କୁ ପାଠପଢ଼ାଇବାକୁ କହି ଆସୁଛନ୍ତି। ସେ ଏହାକୁ ବିରୋଧ କରିବାକୁ ତାଙ୍କୁ ବିଭିନ୍ନ ଆଳରେ ହଇରାଣ କରାଯାଉଛି। ଶ୍ରେଣୀରେ ସେ ପାଠପଢ଼ାଉଥିବା ବେଳେ ଝରକା ଫାଙ୍କରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଚାହିଁ ରହନ୍ତି। ପିଲାମାନଙ୍କୁ ଆକ୍ଟିଭିଟି ଧାରାରେ ସେ ପାଠପଢ଼ାନ୍ତି। ହେଲେ ପ୍ରଧାନ ଶିକ୍ଷୟିତ୍ରୀ ଏହାକୁ ବିରୋଧ କରୁଥିଲେ। ଟିଚର ଓରିଏଣ୍ଟେଡ୍ କ୍ଲାସ କରିବାକୁ ବାଧ୍ୟ କରୁଥିଲେ। ହେଲେ ଏଭଳି କ୍ଲାସ ପିଲାମାନଙ୍କ ପାଇଁ ଠିକ୍‌ ନୁହେଁ ବୋଲି ବୁଝାଇଥିଲେ ହେଁ ପ୍ରଧାନ ଶିକ୍ଷୟିତ୍ରୀ ବୁଝିବାକୁ ଚେଷ୍ଟା କରୁ ନ ଥିଲେ। ୩୦ ବର୍ଷ ଶିକ୍ଷକତା ଭିତରେ ୧୪ ବର୍ଷ ସିଆରସିସି ଓ ଆରମ୍ଭରୁ ଟିଚର ଟ୍ରେନର ଅନୁଭୂତିରୁ ସେ ପିଲାମାନଙ୍କୁ ଆକ୍ଟିଭିଟି ଧାରାରେ ଭଲ ପାଠ ପଢ଼ାଇବାକୁ ଚେଷ୍ଟା କରନ୍ତି। ହେଲେ ପ୍ରଧାନଶିକ୍ଷୟିତ୍ରୀ କେତେବେଳେ ତାଙ୍କୁ ହାଇସ୍କୁଲ ପିଲାଙ୍କ କ୍ଲାସ ନେବାକୁ ବାଧ୍ୟ କରନ୍ତି ତ, କେତେବେଳ ସ୍କୁଲ ଛୁଟି ହେବା ପରେ ସ୍କୁଲରେ ବସାଇ ରଖନ୍ତି।

ଗତକାଲି ଘଟିଥିବା ଘଟଣା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବା ବେଳେ ତାଙ୍କୁ ଉତ୍ତର ମିଳିଥିଲା, ଘରକୁ ପଳାଅ। ସାଙ୍ଗେସାଙ୍ଗେ ଏହାକୁ ବୁଝି ହେବନି। ଉଚ୍ଚ ଅଧିକାରୀଙ୍କ ଏଭଳି ଉତ୍ତର ଶୁଣି ନିରାଶ ହୋଇଥିବା ସୌଦାମିନୀ କହିଛନ୍ତି। ଯାହାକୁ ନେଇ ସେ ମାନସୀକ ବିଷାଦରେ ପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଏହି ସ୍କୁଲରୁ ବଦଳି କରି ଅନ୍ୟ ସ୍କୁଲରେ ନିଯୁକ୍ତ କରାଯାଉ ବୋଲି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଗଲେ ସେ ଉପକୃତ ହୁଅନ୍ତେ ବୋଲି ସୌଦାମିନୀ କହିଛନ୍ତି।

ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ମିନତି ଦେହୁରୀଙ୍କ ପଚାରିବାରୁ ସେ ଫୋନ୍‌ ଯୋଗେ କହିଛନ୍ତି, ସମ୍ପୃକ୍ତ ଶିକ୍ଷୟିତ୍ରୀ ଏହାର ଉତ୍ତର ଦେବା ଠିକ୍ ହେବ। ସ୍କୁଲର ସିସିଟିଭି କ୍ୟାମେରା ସବୁ ଉତ୍ତର ଦେବ। ତେବେ ସେ ଏକ ମେଡିକାଲ କାମରେ ଥିବାରୁ ଅଧିକ କିଛି କହିବାକୁ ଚାହଁ ନ ଥିବା କହି ଫୋନ୍ କାଟି ଦେଇଥିଲେ।

ତେବେ ଏନେଇ ଡିଇଓ କିମ୍ବା ଅନ୍ୟ ଉଚ୍ଚ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Related Posts