ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ସମୁଦ୍ରରେ ଶତ୍ରୁଙ୍କୁ ଜଗିବ ଭାରତର ମାନବବିହୀନ ସଶସ୍ତ୍ର ବୋଟ୍ । ଡିଆରଡିଓ ନିର୍ମିତ ରିମୋଟ୍ ପରିଚାଳିତ ମାନବବିହୀନ ସଶସ୍ତ୍ର ବୋଟର ପରୀକ୍ଷଣ ହୋଇଛି । ପୁନେର ଭାମା ଆସଖେଣ୍ଡ ଡ୍ୟାମରେ ଏହାର ସଫଳ ପରୀକ୍ଷଣ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମାନବବିହୀନ ସଶସ୍ତ୍ର ବୋଟ୍ ସମୁଦ୍ରରେ ଶତ୍ରୁ ପକ୍ଷର ଗତିବିଧି ଜାଣିବା ସହ ସେମାନଙ୍କ ମୁକାବିଲା କରିପାରିବ ।ଏହା ବିଦ୍ୟୁତ ଓ ମୋଟର ଇଞ୍ଜିନରେ ଚାଲିପାରିବ । ଏହି ସଶସ୍ତ୍ର ବୋଟରେ କେହି ମନୁଷ୍ୟ ନ ରହିଲେ ମଧ୍ୟ ଲଗାତର ୨୪ ଘଣ୍ଟା ପାଣିରେ ରହି ପାଟ୍ରୋଲିଂ କରିପାରିବ । ଏହାକୁ ରିମୋର୍ଟ ଦ୍ୱାରା ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ ।
ସେହିଭଳି ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ତିଆରି ହୋଇଛି ମାନବ ବହନ କରୁଥିବା ଡ୍ରୋନ୍ ବରୁଣ । ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ମାନବ ବହନ କରିପାରୁଥିବା ଡ୍ରୋନ ନିର୍ମାଣ କରିଛି ପୁନେର ସାଗର ଡିଫେନ୍ସ ଇଞ୍ଜିନିୟରଂ କମ୍ପାନି । ଏହି ଡ୍ରୋନରେ ୧୦୦ କିଲୋ ଓଜନର ଜିନିଷ ବହନ କରିବାର କ୍ଷମତା ରହିଛି ।
ଯୁଦ୍ଧ କିମ୍ବା ବିପଦ ସମୟରେ ନୌସେନାକୁ ମେଡିକାଲ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଛି । ପୂର୍ବରୁ ଡ୍ରୋନ ମାଧ୍ୟମରେ ଅନେକ ବିଷୟରେ ଅବଗତ ହୋଇ ପାରୁଥିଲେ ଲୋକେ । ତେବେ ଏହି ଡ୍ରୋନର ବଶେଷତ୍ୱ ହେଲା ଏହା ମାନୁଆଲି ଅପରେଟେ ହେବ । ବିଶେଷ କରି ଯୁଦ୍ଧ ସମୟରେ ଏହାର ବ୍ୟବହାର ଦ୍ୱାରା ଅନେକ ସୁବିଧା ମିଳିବ ।
