କରୋନାରେ ଆଖି ବୁଜିଲେ ୟୁପିର ମନ୍ତ୍ରୀ ବିଜୟ କାଶ୍ୟପ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ରାଜନେତା, ମନ୍ତ୍ରୀ, ଖେଳାଳି ନା ଅଭିନେତା କାହାକୁ ଦେଖେନି। ଉତ୍ତର ପ୍ରଦେଶର ରାଜ୍ୟ ରାଜସ୍ବ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପ ଗତ କାଲି କରୋନାରେ ଗୁରୁଗାଓଁ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ୨୯ ଅପ୍ରେଲରେ ସେ କରୋନା ପଜିଟିଭ ହୋଇଥିଲେ ଓ ସେବେଠାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ମୁଜାଫରନଗରର ଛରଥୱାଲ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଉତ୍ତର ପ୍ରଦେଶର ତୃତୀୟ ମନ୍ତ୍ରୀ ଯିଏକି କରୋନାରେ ପ୍ରାଣ ହରାଇଛନ୍ତି। ଗତବର୍ଷ କରୋନାରେ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ ଚୌହାନ ପ୍ରାଣ ହରାଇଥିଲେ। ପୂର୍ବରୁ ସାଲୋନର ବିଧାୟକ ଦଲ ବାହାଦୂର କୋରି, ନବାବଗଞ୍ଜର କେଶରୀ ସିଂହ ଗଙ୍ଗୱାର, ଅଉରାଇୟାର ରମେଶ ଦିୱାକର ଓ ପଶ୍ଚିମ ଲକ୍ଷ୍ନୌର ସୁରେଶ କୁମାର ଶ୍ରୀବାସ୍ତବ କରୋନାରେ ଆଖି ବୁଜି ଥିଲେ। ବିଜୟ କଶ୍ୟପଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି, “ବିଜେପି ନେତା ଓ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପଜୀଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ। ସେ ମାଟି ସହ ଜଡ଼ିତ ଥିବା ଜଣେ ନେତା ଥିଲେ। ସେ ସବୁବେଳେ ଲୋକଙ୍କ ସେବା କରୁଥିଲେ। ଶୋକର ଏହି ମୁହୂର୍ତ୍ତରେ ତାଙ୍କ ପରିଜନ ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି।” ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ  ୨ ଲକ୍ଷ ୬୭ ହଜାର ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୫୨୯ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୩ ହଜାର ୨୪୮କୁ ବୃଦ୍ଧି ପାଇଛି । ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷ ୯୬ ହଜାର ୩୩୦କୁ ବୃଦ୍ଧି ପାଇଛି ।

Related Posts