ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଦେଶର ଅନେକ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ଦଳମାନେ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସେପଟେ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ସମସ୍ତ ଦଳ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳମାନେ ଲୋକମାନଙ୍କ ପାଖକୁ ଯାଇ କ୍ୟାମ୍ପେନ କରିବା ଆରମ୍ଭ କରିଲେଣି । ଏହି ରେସରୁ ଭାରତୀୟ ଜନତା ମଧ୍ୟ ବାଦ ପଡ଼ିନି । ତେବେ ପି ନିର୍ବାଚନ ପାଇଁ ବିଜେପି ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପିର ବହୁ ବଡ ନେତା ଏହି ତାଲିକାରେ ଅଛନ୍ତି।
କିନ୍ତୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ନାମ ଏହି ତାଲିକାରେ ନାହିଁ। ଉଭୟ ନେତା ଅନେକ ପ୍ରସଙ୍ଗରେ ଲୋକମାନଙ୍କ ଟାର୍ଗେଟରେ ଥିବାରୁ ଭାରତୀୟ ଜନତା ପାର୍ଟି ଏପରି ନିଷ୍ପତ୍ତି ନେଇଛି ବୋଲି ଅନୁମାନ କରାଯାଉଛି । ସେପଟେ ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ମାମଲାରେ ଅଜୟ ମିଶ୍ରଙ୍କ ଲିଙ୍କ ଥିବା କଥା ସାମ୍ନାକୁ ଆସିଥିଲା । ଏହି ମାମଲା ଥମିନଥିବାବେଳେ ଯଦି ଷ୍ଟାର ପ୍ରଚାରକ ଭାବରେ ଅଜୟ ମିଶ୍ରଙ୍କୁ ନିଆଯାଏ, ତାହାଲେ ଦଳର ପ୍ରତିଛବି ଖରାପ ହେବାର ସମ୍ଭାବନା ଉପୁଜିପାରେ । ତେଣୁ ବିଜେପି ଅଜୟ ମିଶ୍ରାଙ୍କୁ ଏଥିରୁ ବାଦ ପକାଇଥିବାର ଅନୁମାନ କରାଯାଉଛି । ସେହିପରି ବରୁଣ ଗାନ୍ଧୀ କୃଷକମାନଙ୍କ ସପକ୍ଷରେ ବାହାରି ନିଜ ଦଳକୁ ଟାର୍ଗେଟ କରିବା ପାଇଁ ମଧ୍ୟ ପଛେଇ ନଥିଲେ । ତେଣୁ ବରୁଣ ଗାନ୍ଧୀଙ୍କୁ ଏହି ଲିଷ୍ଟରୁ ବାଦ ଦିଆଯାଇଛି ।