ଲକ୍ଷ୍ନୌ: ଗତ କିଛି ଦିନ ହେବ ବଡ଼ ବଡ଼ ସଂସ୍ଥା ଉପରେ ସାଇବର ହ୍ୟାକରମାନଙ୍କ ନଜର । ଗତ ଦୁଇ ଦିନ ଭିତରେ ଚର୍ତୁଥ ବଡ଼ ଟ୍ୱିଟର ଆକାଉଣ୍ଟ ହ୍ୟାକ କରିଛନ୍ତି ହ୍ୟାକର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ କରିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଇଣ୍ଡିଆର ଟ୍ୱିଟର ଆକାଉଣ୍ଟ ହ୍ୟାକ କରିଛନ୍ତି ହ୍ୟାକର । ଏବେ ଉତ୍ତରପ୍ରଦେଶ ସରକାରୀ ଅଫିସିଆଲ୍‌ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌ ହୋଇଛି। ୟୁପି ସରକାର @UPGovt ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅଜବଗଜବ ପୋଷ୍ଟ କରାଯାଇଛି। ହ୍ୟାକର୍‌ମାନେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ଅନେକ ଲୋକଙ୍କୁ ଟ୍ୟାଗ୍ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହ୍ୟାଣ୍ଡେଲଟି ରିଷ୍ଟୋର ହୋଇପାରି ନାହିଁ।

ଉତ୍ତରପ୍ରଦେଶ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ବ୍ୟତୀତ ଉତ୍ତରପ୍ରଦେଶ ସୂଚନା ବିଭାଗର ଫ୍ୟାକ୍ଟ ଚେକ୍ ଇନ୍‌ଫୋ @InfoUPFactCheck ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ହ୍ୟାକ୍ କରାଯାଇଛି। ଏଥିରୁ ମଧ୍ୟ ଅନେକ ଲୋକଙ୍କୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରାଯାଇଛି। ତେବେ ହ୍ୟାକର୍ ଏପର୍ଯ୍ୟନ୍ତ କୌଣସି ମେସେଜ ପୋଷ୍ଟ କରିନାହାଁନ୍ତି। ସେ କେବଳ ଲୋକଙ୍କୁ ଟ୍ୟାଗ୍ କରି ଚାଲିଛନ୍ତି।

ଏହା ପୂର୍ବରୁ ହ୍ୟାକରମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଦେଶର ପାଣିପାଗ ବିଭାଗ(ଆଇଏମ୍‌ଡି) ଏବଂ ୟୁନିର୍ଭସିଟି ଗ୍ରାଣ୍ଟ କମିଶନ(ୟୁଜିସି)ର ଟ୍ୱିଟ୍‌ର ହ୍ୟାଣ୍ଡେଲକୁ ହ୍ୟାକ୍‌ କରିଥିଲେ। ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା। ହ୍ୟାକର୍‌ମାନେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଅନେକ କାର୍ଟୁନ୍‌ ଫଟୋ ପେଷ୍ଟ କରିଥିଲେ। ତେବେ ହ୍ୟାକ୍‌ ହେବାର ୪ ଘଣ୍ଟା ପରେ ୟୁପି ସିଏମ୍‌ଓଙ୍କ ଟ୍ୱିଟ୍‌ର ହ୍ୟାଣ୍ଡେଲକୁ ରିଷ୍ଟୋର କରାଯାଇଥିଲା।

ଏହା ପୂର୍ବରୁ ଶନିବାର ପାଣିପାଗ ବିଭାଗର ଟ୍ୱିଟର ହ୍ୟାଣ୍ଡେଲ ରିଷ୍ଟୋର କରାଯାଇଥିଲା । ୨ ଘଣ୍ଟାରୁ ଅଧିକ ସମୟ ଧରି ହ୍ୟାକର୍ସ ଏହାକୁ ହ୍ୟାକ କରିଥିଲେ।

ଆକାଉଣ୍ଟ ହ୍ୟାକ କରାଯିବା ମାମଲାର ତଦନ୍ତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସାଇବର ଟିମ କରୁଛି।