ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା, ରାଜ୍ୟରେ ୧ ଲକ୍ଷ କୋଟି ପୁଞ୍ଜିନିବେଶ କରିବ ଜେଏସଡବ୍ଲ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ। ଏହି ଅବସରରେ ଜେଏସଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏକ ବଡ ଘୋଷଣା କରିଛନ୍ତି । ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜେଏସଡବ୍ଲ୍ୟୁ । ଏହାପୂର୍ବରୁ ୨୦୧୮ ମେକ ଇନ୍ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା ।ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୩୦ ହଜାର କୋଟି ନିବେଶ ହୋଇସାରିଛି । ଏବେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସଜ୍ଜନ ଜିନ୍ଦଲ ସ୍ପଷ୍ଟ କରିଛନ୍ତି। ନିର୍ଦ୍ଦିଷ୍ଟ କୌଣସି ଗୋଟିଏ କ୍ଷେତ୍ର ନୁହେଁ ବରଂ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଏହି ନିବେଶ କରିବ ଜେଏସଡବ୍ଲୁ ଗ୍ରୁପ୍ ।

ବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର ଏମଏସଏମଇ ଗଢିଉଠିବ। ଓଡ଼ିଶାରେ ଏକ ସ୍ଥିର ସରକାର ଅଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି। ହକି ଗୌରବ ହରାଇଥିଲା, କିନ୍ତୁ ଓଡିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି। ପୁରୁଣା ମନ୍ଦିରଗୁଡିକର ନବୀକରଣ, ସ୍କୁଲର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପାୟନରେ ଓଡ଼ିଶା ଏବେ ଦେଶର ନେତୃତ୍ୱ ନେଉଛି । ନବୀନଙ୍କ ନେତୃତ୍ୱରେ ଏହି ଧାରା ଆଗକୁ ବଢୁଛି । ଓଡ଼ିଶା ପାଖରେ ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ଜଳରାଶି ଓ ବନ୍ଦର ରହିଛି । ଯାହାର ଫାଇଦା ଓଡ଼ିଶାକୁ ମିଳୁଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଖଣି ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଓ ଏହାକୁ ରାଜ୍ୟର ବିକାଶରେ ବିନିଯୋଗ କରୁଛି ।ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ । ଏହା ନିଶ୍ଚିତ ସମ୍ଭବ ହେବ ବୋଲି ଜିନ୍ଦଲ କହିଛନ୍ତି ।

ତେବେ ସରକାରଙ୍କୁ ପରାମର୍ଶ ସ୍ୱରୂପ ସଜ୍ଜନ ଜିନ୍ଦଲ କହିଛନ୍ତି ଯେ, ଓଡ଼ିଶାକୁ ଆହୁରି ଆଗକୁ ନେବାକୁ ହେଲେ ଭିତ୍ତିଭୂମି ସୁଦୃଢିକରଣର ଆବଶ୍ୟକତା ରହିଛି । ସରକାର ଭିତ୍ତିଭୂମି ସୁଦୃଢ କରିବାକୁ ନିବେଶ କରନ୍ତୁ ।ଭିତ୍ତିଭୂମି ସୁଦୃଢ ହେଲେ ନିବେଶ ନିଶ୍ଚୟ ବଢବି । ଜାପାନ ଓ ଚୀନ୍ ମଧ୍ୟ ସମାନ ଫର୍ମୁଲା ଆପଣାଉଛନ୍ତି ଯାହା ଶିଳ୍ପପତିଙ୍କୁ ଶିଳ୍ପରେ ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି । ତେଣୁ ଓଡ଼ିଶା ମଧ୍ୟ ସେହି ଫର୍ମୁଲା ଆପଣାଇବା କଥା ।

Related Posts