ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ୨୫ ଜିଲ୍ଲାରେ ହେବ ମତଦାନ । ପୂର୍ବରୁ ୪ଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇସାରିଥିବା ବେଳେ ଆସନ୍ତାକାଲି ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । ୧୩୧ ଜିଲ୍ଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୧୩୫୧୪ ବୁଥରୁ ୨୦୨୭ଟି ବୁଥ ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ଏ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୁଲିସ ବାହିନୀକୁ ଏହି ୨୫ ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି ।
ହିଂସା ସହ ବିଭିନ୍ନ କାରଣ ପାଇଁ ମତଦାନ ହୋଇପାରି ନଥିବା ୧୦ ଜିଲ୍ଲାର ୪୯ଟି ସ୍ଥାନରେ ଆଜି ପୁଣି ଥରେ ମତଦାନ ହେଉଛି। ବର୍ତ୍ତମାନ ସୁଦ୍ଧା ୪୯ଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତାକାଲି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
