ଆମେ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧିତ ନାହୁଁ; ବାସ ଆମେ ଚାହୁଁ ଶିବସେନା-ବିଜେପି ମେଣ୍ଟ: ବିଦ୍ରୋହୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହା ମଧ୍ୟରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳର ବିଦ୍ରୋହୀ ଶିବିରରେ ଯୋଗ ଦେଇଥିବା ଶିବସେନା ବିଧାୟକ ଦୀପକ କେସରକର ଗୁରୁବାର କହିଛନ୍ତି ଯେ ବିଦ୍ରୋହୀମାନେ ଚାହୁଁନାହାଁନ୍ତି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ଏହା ପରିବର୍ତ୍ତେ, ଆମେ ଚାହୁଁ ଯେ ସେ ବିଜେପି ସହିତ ମେଣ୍ଟ କରନ୍ତୁ ଏବଂ ଏକ ନୂତନ ସରକାର ଗଠନ କରନ୍ତୁ ବୋଲି କହିଛନ୍ତି । ଏହା ସହ ଲୋକମାନେ ଚାହାଁନ୍ତି ଯେ ଶିବସେନା ବିଜେପି ସହିତ ମେଣ୍ଟ କରୁ। କାରଣ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଏନସିପି କିମ୍ବା କଂଗ୍ରେସ ପାଖରେ ରହିଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧିତ ନୋହୁଁ। ମିଳିତ ମଞ୍ଚର ଅନ୍ୟମାନଙ୍କ ଉପରେ ଆମର କ୍ରୋଧ ବୋଲି ଶ୍ରୀ କେସରକର କହିଛନ୍ତି।

ସେପଟେ ଶିବସେନା ଏବଂ ବିଜେପି, ଉଭୟେ ହିନ୍ଦୁତ୍ୱକୁ ସେମାନଙ୍କର ମୁଖ୍ୟ ପ୍ରସଙ୍ଗ ଭାବରେ ଦାବି କରନ୍ତି। ୨୦୧୯ ବିଧାନସଭା ନିର୍ବାଚନ ଶିବସେନା ଓ ବିଜେପି ଏକାଠି ଲଢିଥିଲେ। କିନ୍ତୁ ନେତୃତ୍ୱ ଓ ପଦବୀକୁ ନେଇ ମତଭେଦ ସୃଷ୍ଟି ହେବା ପରେ ସରକାର ଗଠନ ପାଇଁ ଏନସିପି ଏବଂ କଂଗ୍ରେସ ସହିତ ଶିବସେନା ମିଳିତ ହୋଇଥିଲା। ଶ୍ରୀ କେସରକର ଦାବି କରିଛନ୍ତି ଯେ ସେନାର ଅଧିକାଂଶ ବିଧାୟକ ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ସହ ଅଛନ୍ତି। ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ଥର କଥା ହୋଇଥିଲୁ। ଏବଂ ବର୍ତ୍ତମାନ ସେ କହୁଛନ୍ତି ଯେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆମେ ତାଙ୍କ ଇସ୍ତଫା ଚାହୁଁ ନାହୁଁ। ଆମେ ଚାହୁଁ ଯେ ରାଜ୍ୟ ଏବଂ କେନ୍ଦ୍ରରେ ସମାନ ଶାସନ ରହିବା ଉଚିତ ଯାହା ଦ୍ୱାରା ମହାରାଷ୍ଟ୍ର ଅଗ୍ରଗତି କରିବ ବୋଲି ଶ୍ରୀ କେସରକର କହିଛନ୍ତି।

Related Posts