ବିଜେପି ସହ ମେଣ୍ଟ କରିବାକୁ ଉଦ୍ଧବଙ୍କୁ ୩-୪ ଥର କହିଛୁ : ଏକନାଥ ସିନ୍ଦେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଗଣମାଧ୍ୟମ କୁ କହିଛନ୍ତି ଯେ ଶିବସେନାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ରୋହୀ ବିଧାୟକମାନେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଭାବାପନ୍ନ ବିଜେପି ସହ ମେଣ୍ଟ କରିବାକୁ ୩-୪ ଥର କହିଥିଲେ ହେଲେ ସେ ଶୁଣିନଥିଲେ। ସେ ଆହୁରି ବି କହିଛନ୍ତି ଯେ ମହା ବିକାଶ ଅଘାଡ଼ି ମେଣ୍ଟକୁ ନେଇ ଆମ ଭିତରୁ ଅନେକ ବିଧାୟକ ଅସନ୍ତୁଷ୍ଟ ଥିଲେ। ଏନେଇ ବିଧାୟକମାନେ ଠାକ୍‌ରେଙ୍କ ସହ କଥା ହେବାକୁ ଅନେକ ଥର ଚେଷ୍ଟା କରି ବି ବିଫଳ ହୋଇଥିବା କଥା ଗଣମାଧ୍ୟମ କୁ ସିନ୍ଦେ କହିଛନ୍ତି ।ଗତକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟ ସଚିବାଳୟରେ ଦାୟିତ୍ବ ଗ୍ରହଣ କରିବା ପରେ ବିଜେପି ର କେନ୍ଦ୍ରୀୟ ନେତୃତ୍ବ ସହ କ୍ୟାବିନେଟ୍‌ ବିସ୍ତାର ବିଷୟରେ ଆଲୋଚନା କରିବାକୁ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବୀସଙ୍କ ସହ ୨ ଦିନିଆ ଦିଲ୍ଳୀ ଗସ୍ତରେ ଯାଇଛନ୍ତି।ଦିଲ୍ଲୀରେ ଗଣମାଧ୍ୟମରେ ନିଜର ମତ ରଖି ସିନ୍ଦେ କହିଛନ୍ତି କି ତାଙ୍କୁ ସମର୍ଥନ ଦେଉଥିବା ବିଧାୟକମାନେ ହିଁ ହେଉଛନ୍ତି ପ୍ରକୃତ ଶିବସେନା ‌ସଦସ୍ୟ। ଆମ ପାଖରେ ସଂଖ୍ୟା ଅଛି ଓ ବାଚସ୍ପତି ବି ସ୍ବୀକୃତି ଦେଇଛନ୍ତି ବୋଲି ସିନ୍ଦେ କହିଛନ୍ତି।ଦଳର ପ୍ରତୀକ କିଏ ବ୍ୟବହାର କରିବ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି କି ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ବାସ ରହିଛି। ନିଜକୁ ଶିବସେନା ବୋଲି କହିବା ସହ ସେ କୌଣସି ବେଆଇନ୍‌ କାର୍ଯ୍ୟ କରୁନାହାନ୍ତି ଓ ତାଙ୍କୁ ବିଧାନସଭା ଦଳ ଭାବେ ମାନ୍ୟତା ଦିଆଯାଇଛି ବୋଲି ମଧ୍ୟ ସଫେଇ ଦେଇଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ଦଳ ର ଚିହ୍ନ କାହା ପାଖକୁ ଯିବ ଏନେଇ ଉଦ୍ଧବ ଠାକରେ ସୁପ୍ରିମକୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି।

Related Posts