ଅମରାବତୀର ଉମେଶ କୋହ୍ଲେଙ୍କ ହତ୍ୟାକାରୀକୁ ସର୍ବସାଧାରଣରେ ପାଶି ଦିଆଯାଉ: ରାଣା ଦମ୍ପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଥରେ ଚର୍ଚ୍ଚାରେ ରାଣା ଦମ୍ପତି । ତେବେ ନୂପୁର ଶର୍ମାଙ୍କୁ ସମର୍ଥନ କରି ହତ୍ୟାକାଣ୍ଡର ଶିକାର ହୋଇଥିବା ଅମରାବତୀର ଉମେଶ କୋହ୍ଲେଙ୍କ ଘର ଆଗରେ ଏହି ଦମ୍ପତି ହୁନୁମାନ ଚାଳିଶା ପାଠ କରିଛନ୍ତି। ଗତ ଜୁନ୍‌ ୨୧ ତାରିଖରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ କରି ଉମେଶ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଯେଉଁ କାରଣରୁ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ଅମରାବତୀ ଏମପି ନବନୀତ ରାଣା ଗଣମାଧ୍ୟମକୁ କହିଛନ୍ତି ଯେ, କୋହ୍ଲେଙ୍କ ହତ୍ୟାକାରୀଙ୍କୁ ସର୍ବସାଧାରଣରେ ଫାଶି ହେବା ଉଚିତ। ଫଳରେ ଆଉ କେହି ଏଭଳି ଜଘନ୍ୟ ଅପରାଧ ଘଟାଇବାକୁ ସାହସ କରିବେନି। ଏହି ଘଟଣାରେ ଏକ ଉଦାହରଣ ସୃଷ୍ଟି କରିବାକୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହାଙ୍କୁ ନିବେଦନ କରିଛନ୍ତି। ଉମେଶ ପ୍ରହ୍ଲାଦ ରାଓ ହେଉଛନ୍ତି ଜଣେ ଔଷଧ ଦୋକାନୀ।

ଅମରାବତୀରେ ତାଙ୍କର ଏକ ମେଡିସିନ ଷ୍ଟୋର୍‌ ଅଛି। ଗତ ଜୁନ୍‌ ୨୧ ରାତିରେ ସେ ତାଙ୍କ ଦୋକାନ ବନ୍ଦକରି ଘରକୁ ଫେରୁଥିବା‌ବେଳେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ନୂପୁର ଶର୍ମାଙ୍କୁ ସମର୍ଥନ କରି ପୋଷ୍ଟ କରିବାରୁ କୋହ୍ଲେଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ନେତା ଅଭିଯୋଗ କରିଥିଲେ। ତେବେ ପୁଲିସ ଏହି ମାମଲାରେ ସପ୍ତାହକରୁ ଊର୍ଦ୍ଧ୍ବ ସମୟ ତଦନ୍ତ କରିବାପରେ ସିସିଟିଭ୍‌ ଫୁଟେଜ୍‌ ଜାରି କରିଛି। ପୁଲିସ ଏକ ଏତଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି। ନୂପୁରଙ୍କ ସମର୍ଥନରେ ପୋଷ୍ଟ ପାଇଁ ଉମେଶ କୋ‌‌ହ୍ଲେଙ୍କୁ ହତ୍ୟା କରାଯାଇଛି ବୋଲି ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଥିବା ବରିଷ୍ଠ ପୁଲିସ ଅଧିକାରୀ ବିକ୍ରମ ସାଲି ସୂଚନା ଦେଇଛନ୍ତି। ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ମାମଲାର ଏନ୍‌ଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି। ସେପଟେ ଏନ୍‌ଆଇଏ ଟିମ୍‌ ଅମରାବତୀରେ ପହଞ୍ଚି ସାରିଛନ୍ତି।

ଟିମ୍‌ ଏହି ମାମଲାକୁ ଭଲଭାବେ ପରୀକ୍ଷା କରୁଛନ୍ତି ଏବଂ ମହାରାଷ୍ଟ୍ର ପୁଲିସଠାରୁ ଘଟଣା ସଂକ୍ରାନ୍ତରେ ବିଶେଷ ଭାବେ ଅବଗତ ହେଉଛନ୍ତି। ମହାରାଷ୍ଟ୍ର ଏଟିଏସ୍‌ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ଉକ୍ତ ମାମଲାରେ କୌଣସି ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ଥିବା ନେଇ ତଦନ୍ତ ହେଉଛି ବୋଲି ଏଟିଏସ୍‌ ଟିମ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୨୧ ତା‌ରିଖରେ ଉମେଶ କୋହ୍ଲେ ରାତି ପ୍ରାୟ ୧୦ରୁ ୧୦ଟା ୩୦ ମଧ୍ୟରେ ତାଙ୍କ ଦୋକାନରୁ ଘରକୁ ଫେରୁଥିବାବେଳେ ବାଟରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଗଳା କାଟି ଦେଇଥିଲେ। ତାଙ୍କ ସହ ତାଙ୍କ ପୁଅ ଏବଂ ପତ୍ନୀ ଅନ୍ୟ ଏକ ବାଇକ୍‌ରେ ଆସୁଥି‌ଲେ। ପୁଅ ସଙ୍କେତ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ବୃତ୍ତମାନେ କୋହ୍ଲେଙ୍କ ଗଳା କାଟି ହତ୍ୟା କରିଥିଲେ ବି ତାଙ୍କଠାରୁ କୌଣସି ଜିନିଷ ନେଇନଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts