
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶାରୁ ଟଳିପାରେ ବିପଦ । ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ‘ୟାସ୍’, ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ଆଡକୁ ମୁହାଁଇପାରେ। ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିଲା ମଧ୍ୟ ଭାରତର ପାଣିପାଗ ବିଜ୍ଞାନ ସମେତ ଅନ୍ୟ ପାଣିପାଗ ସଂସ୍ଥାମାନେ ପୂର୍ବାନୁମାନ ଆରମ୍ଭ କରିଛନ୍ତି। ସ୍ଥଳଭାଗକୁ ଛୁଇଁବା ବେଳକୁ ଭୀଷଣ ବାତ୍ୟା ରୂପ ନେଇସାରିଥିବ ‘ୟାସ୍’। ଏବଂ ପବନର ବେଗ ଘଣ୍ଟାପ୍ରତି ୧୪୫ରୁ ୧୬୫ କିଲୋମିଟର ରହିବ। ବାତ୍ୟା ‘ୟାସ୍’ ୧୮୫ କିଲୋମିଟର ବେଗରେ ମଧ୍ୟ ଝଟ୍କା ଦେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ପବନ ହେବାର ଆଶଙ୍କା ରହିଛି। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପବନର ବେଗ ୯୦ରୁ ୧୦୦ ଏବଂ ସ୍ଥଳ ଭାଗରେ ୧୧୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ଆରମ୍ଭ କରିଛି। ଆଜି ଅବପାତ ରୂପ ନେବ ଓ ୨୪ ଅର୍ଥାତ୍ ଆସନ୍ତା କାଲି ବାତ୍ୟାରେ ପରିଣତ ହେବ। ୨୪ ଅପରାହ୍ନରୁ ଓଡ଼ିଶାରେ ପ୍ରଭାବ ପଡ଼ିବ । ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବା ସହ ସିଭିୟର ସାଇକ୍ଲୋନରେ ରୂପ ମଧ୍ୟ ନେଇପାରେ। ୨୬ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ରୂପରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପଶ୍ଚିମବଙ୍ଗକୁ ଲାଗିଥିବା ଉତ୍ତର ଓଡ଼ିଶା ଉପକୂଳ ବା ବାଂଲାଦେଶ ଉପକୂଳ ମଧ୍ୟରେ ଏହା ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ଅଧିକ ରହିଛି । ୨୫ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ସ୍ଥଳଭାଗରେ ୭୦ କିଲୋମିଟର ହୋଇପାରେ। ସମ୍ଭାବ୍ୟ ବାତ୍ୟା ‘ୟାସ’ର ଗତିପଥ ବିଷୟରେ ଆଜି ସନ୍ଧ୍ୟା ସୁଦ୍ଧା ସଠିକ୍ ସୂଚନା ମିଳିବ।