ପାଖେଇଲା ନିର୍ବାଚନ; ନବୀନ ଉଠାଇଲେ ସ୍ଵତନ୍ତ୍ର ଫୋକସ ରାଜ୍ୟ ମୁଦ୍ଦା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୧୯ ନିର୍ବାଚନ ପରଠାରୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗର ନାଁ ନଧରୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ହଠାତ୍ ଗତକାଲି ନୀତି ଆୟୋଗ ବୈଠକରେ ଓଡ଼ିଶାକୁ ସ୍ଵତନ୍ତ୍ର ଫୋକାସ ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଛନ୍ତି। ନୀତି ଆୟୋଗର ସପ୍ତମ ପରିଚାଳନା ବୈଠକରେ ନବୀନ ବାବୁ ସ୍ଵତନ୍ତ୍ର ଫୋକସ ମାନ୍ୟତା ଦାବି ପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁଖ୍ୟ ଆଧାର ଭାବରେ ଯୁକ୍ତି ବାଢିଛନ୍ତି। ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଓଡ଼ିଶା ଭୟଙ୍କର ଭାବରେ ପ୍ରଭାବିତ ହେଉଛି ଏବଂ ରାଜ୍ୟର ଦୁର୍ବଳ ଆର୍ଥିକ ସ୍ଥିତିର ଏହାହିଁ ମୁଖ୍ୟ କାରଣ ବୋଲି କହିଛନ୍ତି ନବୀନ। ଓଡ଼ିଶାର ବିକାଶ ପାଇଁ ଅର୍ଥର ବହୁ ଆବଶ୍ୟକତା ଅଛି ତେଣୁ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ଵତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେବାକୁ ଦିଲ୍ଲୀ ଦରବାରରେ ଜୋରଦାର ଦାବି କରିଛନ୍ତି ନବୀନ। ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ଵତନ୍ତ୍ର ପାଣ୍ଠି ଯୋଗାଇ ଦିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି।

ନବୀନଙ୍କର ହଠାତ୍ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ରାଜନୀତି ସମୀକ୍ଷକଙ୍କ ମତ ହେଉଛି ଯେ, ଆଗକୁ ନିର୍ବାଚନ ଆସୁଛି ନବୀନ ନିଜ ସରକାରର ସମସ୍ତ ବିଫଳତାକୁ ଲୁଚାଇବା ପାଇଁ ପୁରୁଣା ଅସ୍ତ୍ରକୁ ପୁଣି ଥରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏକ ଆଞ୍ଚଳିକ ଦଳ ଭାବରେ ବିଜେଡି କେନ୍ଦ୍ରୀୟ ଅବହେଳା ମୁଦ୍ଦାକୁ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ବ୍ୟବହାର କରି ଆସିଛି। ଗତ କାଲି ଦିଲ୍ଲୀରେ ନବୀନଙ୍କ ଦାବି ଏହି କଥାକୁ ସ୍ପଷ୍ଟ କରୁଛି ୨୦୨୪ ରେ ମଧ୍ୟ କେନ୍ଦ୍ରୀୟ ଅବହେଳା ଅସ୍ତ୍ର କୁ ବିଜେପି ବିରୋଧରେ ସେ ବ୍ୟାପକ ଭାବରେ ବ୍ୟବହାର କରିବେ। ଗତକାଲି ନୀତି ଆୟୋଗ ବୈଠକରେ ଓଡ଼ିଶାକୁ ଟେଲିକମ, ରେଳବାଇ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଐତିହାସିକ ଅବହେଳା କରାଯାଉଛି ବୋଲି ନବୀନ ବାବୁ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ରାଜ୍ୟର ଅନେକ ଆଦିବାସୀ ଓ କେବିକେ ଜିଲ୍ଲାକୁ ନୂଆ ଆବଣ୍ଟନରୁ ବାଦ୍ ଦିଆ ଯାଇଛି ଯାହା ଦ୍ଵାରା ଓଡ଼ିଶାର ବହୁ ଆଦିବାସୀ ଓ ପଛୁଆ କେବିକେ ଜିଲ୍ଲାର ଅଧିବାସୀ ମାନେ ନୂତନ ଗୃହ ଆବଣ୍ଟନରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ରର ଏହା ଚରମ ଅବହେଳା ବୋଲି ନବୀନ ବାବୁ ପରୋକ୍ଷାରେ ଇଙ୍ଗିତ କରିଛନ୍ତି।ବିଜେଡିର ଉତ୍ପତ୍ତି ଠାରୁ ଏଯାଏ ୟୁପିଏ ହେଉକି ଏନଡିଏ ସରକାର ହେଉ ନିର୍ବାଚନ ପୂର୍ବରୁ ନବୀନ ବାବୁ ସବୁବେଳେ ସଫଳତାର ସହ କେନ୍ଦ୍ରୀୟ ଅବହେଳା ମୁଦ୍ଦାକୁ କଂଗ୍ରେସ ଓ ବିଜେପି ବିରୋଧରେ ବ୍ୟବହାର କରିଛନ୍ତି।

Related Posts