ଢେଙ୍କାନାଳ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ବ୍ୟାପକ ଉତ୍ତେଜନା: ପୋଲିସର ଲାଠି ଚାର୍ଜ

ଢେଙ୍କାନାଳ : ଅଶାନ୍ତ ହୋଇପଡ଼ିଲା ପୂଜା ବଜାର। ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଗଲା ପରିସ୍ଥିତି । ଯାହାକୁ ନେଇ ପୋଲିସ ପକ୍ଷରୁ ଲାଠି ଚାର୍ଜ ହେଲା । ସେପଟେ ଟେକା ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକେ । ଢେଙ୍କାନାଳ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ଛକା ପଞ୍ଝା ଯୋଗୁଁ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଛି।

ତେବେ କୁମାର ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ଐତିହାସିକ ଗଜଲକ୍ଷ୍ମୀ ପୂଜା ଉତ୍ସବ ବେଶ ଧୁମଧାମରେ ଚାଲିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ପୂଜା ବଜାର ଉଛୁଳି ଉଠୁଛି। ପୂଜା ଆଉ ମାତ୍ର ତିନି ଦିନ ରହିଥିବାରୁ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟୁଛି। ଏପରିସ୍ଥଳେ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ପାର୍କିଂ ଜାଗାକୁ ନେଇ ଗତ ପାଞ୍ଚ ଦିନ ହେଲା ସୃଷ୍ଟି ହୋଇଥବା ବିବାଦ ଶନିବାର ଉଗ୍ରରୂପ ଧାରଣ କରିଥିବା ଦେଖିବାକୁ ମିଳିଛି ।

ଠେଙ୍ଗା ବାଡ଼ି ଓ ଟେକା ପଥର ଆକ୍ରମଣରେ ପୂଜା ବଜାର ରଣକ୍ଷେତ୍ର ପାଲଟିଯାଇଥିଲା । ଏପରିକି ଦେଉଳସାହିର ଉତ୍ୟକ୍ତ ଯୁବକ ଘର ଓ ଦୋକାନ ଭଙ୍ଗାରୁଜା କରିଥିବା ବେଳେ ଉଭୟ ବଜାରର ଯୁବକ ମାନେ ଲୁଛି ଛପି ଆକ୍ରମଣ ଓ ପ୍ରତି ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ତୁହାକୁ ତୁହା ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଯାହାକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି। ଫଳରେ ପୋଲିସ ପକ୍ଷରୁ ଲାଠି ଚାଳନା କରିଥିବା ବେଳେ ପାଲଟା ଟେକା ପଥର ମାଡ଼ କରିଛନ୍ତି।

Related Posts