
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ମହିଳା ଟି-୨୦ ଏସିଆ କପ୍ ରେ ଭାରତୀୟ ଦଳର ପ୍ରଥମ ପରାଜୟ। ଗ୍ରୁପ୍ ପର୍ଯ୍ୟାୟର ୧୩ ତମ ମ୍ୟାଚରେ ଆଜି ପାକିସ୍ତାନ ଠାରୁ ୧୩ ରନ୍ରେ ହାରିଛି ଭାରତ। ଏହା ପୂର୍ବରୁ ଭାରତ କୌଣସି ଦଳ ଠାରୁ ପରାଜିତ ହୋଇନଥିଲା। ଆଜିର ମ୍ୟାଚ୍ରେ ନିଦା ଦାରଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୭ ରନ୍ କରିଥିଲା। ତେବେ ୧୩୮ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୧୯.୪ ଓଭରରେ ୧୨୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।
ପାକିସ୍ତାନ ପକ୍ଷରୁ ନିଦା ଦାର ୩୭ ବଲ୍ରେ ୫୬ ରନ୍ କରିଥିଲେ। ଭାରତୀୟ ସ୍ପିନରଙ୍କ ବିରୋଧରେ ସେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ନିଦା ଦାରଙ୍କ ବ୍ୟତୀତ ପାକିସ୍ତାନ ଅଧିନାୟକ ବିସମାହ ମାରୁଫ ୩୨ ରନ୍ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଟିମ୍ ପାଇଁ ୫୮ ବଲ୍ରେ ୭୬ ରନ୍ ଯୋଡ଼ିଥିଲେ। ଆଜିର ମ୍ୟାଚ୍ରେ ଭାରତୀୟ ବୋଲର ଦୀପ୍ତି ଶର୍ମାଙ୍କ ବ୍ୟାତୀତ ଅନ୍ୟ କୌଣସି ବୋଲ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଦୀପ୍ତି ୪ ଓଭର ୨୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ପାକିସ୍ତାନୀ ଓପନର ମନୀବା ଅଲ୍ଲୀ(୧୭), ଓମେମା ସୋହିଲଙ୍କ ୱିକେଟ୍ ନେଇଥିଲେ ଦୀପ୍ତି। ସେହିପରି ପୂଜା ବସ୍ତ୍ରାକର ୨ ୱିକେଟ୍ ନେଇଥିବା ବେଳେ ରେଣୁକା ସିଂହ ଗୋଟିଏ ୱିକେଟ୍ ନେଇଥିଲେ।
ପାକିସ୍ତାନର ଏହି ବିଜୟ ସହ ଏସିଆ କପରେ ଭାରତର ବିଜୟ ଧାରାରେ ବ୍ରେକ୍ ଲାଗିଛି। ୬ ବର୍ଷ ପରେ ଟି-୨୦ ଅନ୍ତର୍ଜତୀୟ ମ୍ୟାଚ୍ରେ ଭାରତକୁ ହରାଇଛି ପାକିସ୍ତାନ। ଏହା ପୂର୍ବରୁ ୨୦୧୬ ମାର୍ଚ୍ଚ ୧୯ ତାରିଖ ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନ ଭାରତକୁ ହରାଇଥିଲା। ଆଜିର ପରାଜୟ ସତ୍ତ୍ୱେ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଠାରୁ ଆଗରେ ରହିଛି ଭାରତ। ୧୩ ମ୍ୟାଚ୍ରେ ଦଳ ୧୦ଟିରେ ବିଜୟୀ ହୋଇଛି।
ମହିଳା ଟି-୨୦ ଏସିଆ କପ୍ ୨୦୨୨ରେ ଭାରତ ଆଉ ଦୁଇଠି ଗ୍ରୁପ୍ ମ୍ୟାଚ୍ ଖେଳିବ। ଶନିବାର ବାଂଲାଦେଶ ସହିତ ଓ ସୋମବାର ଥାଇଲାଣ୍ଡ ସହ ଗ୍ରୁପ୍ ମ୍ୟାଚ୍ ଖେଳିବ ଭାରତ। ସେହିପରି ଭାରତୀୟ ଦଳ ଫାଇନାଲ ଗ୍ରୁପ୍ ମ୍ୟାଚ୍ରେ ପାକିସ୍ତାନ ୟୁଏଇ ଓ ଶ୍ରୀଲଙ୍କାକୁ ଭେଟିବ। ଗ୍ରୁପ୍ ଷ୍ଟେଜ୍ ସରିବା ପରେ ଟପ୍ ୪ ଟିମ୍ ସେମିଫାଇନାଲ୍ ଖେଳିବେ।