ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ; ଜୋର୍ ଧରିଛି ପ୍ରସ୍ତୁତି, ପଡିଆରେ ହେବ ୯ଟି ହେଲିପ୍ୟାଡ଼ ସହ ୨୧ ହଜାର ଗାଡି ପାଇଁ ପାର୍କିଙ୍ଗ ବ୍ୟବସ୍ଥା

ଦ୍ଵିତୀୟ ଥର ପାଇଁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ | ଏନେଇ ପ୍ରସ୍ତୁତି ଜୋର୍ ସୋର୍ରେ ଆରମ୍ଭ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ। ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମକୁ ନବବଧୂ ଭଳି ସଜା ଯାଉଥିବାବେଳେ ପାଖାପାଖି ୯ଟି ହେଲିପ୍ୟାଡ଼ ସହ ୨୧ ହଜାର ଗାଡି ପାଇଁ ପାର୍କିଙ୍ଗ ବ୍ୟବସ୍ଥା କରାଯାଉଛି | ଶପଥ ଗ୍ରହଣ ମଞ୍ଚ ପାଖରେ ୩ଟି ହେଲିପ୍ୟାଡ଼ ନିର୍ମାଣ ଜୋରସୋରରେ ଚାଲିଥିବାବେଳେ ଲଖନଉର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମର କ୍ଷମତା ପ୍ରାୟ ୫୦ ହଜାର ଲୋକ ହୋଇଥିବାବେଳେ ୭୦ ହଜାର ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି |

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ତେଣୁ ଇକାନା ଷ୍ଟାଡିୟମ ଏବଂ ଏହାର ଆଖପାଖରେ ୯ ଟି ହେଲିପ୍ୟାଡ୍ ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ଇକାନା ଷ୍ଟାଡିୟମ ପାଖରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ୩ଟି ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଉଛି | ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଭିଭିଆଇପିଙ୍କ ପାଇଁ ପ୍ରାୟ ୬ଟି ହେଲିପ୍ୟାଡ୍ ନିର୍ମାଣ କରାଯାଉଛି |

ଷ୍ଟାଡିୟମ ବାହାରେ ୨୧ ହଜାର ଗାଡି ପାଇଁ କାର ପାର୍କିଂର ବ୍ୟବସ୍ଥା କରାଯାଇଛି | ଇକାନା ଷ୍ଟାଡିୟମକୁ ଯାଉଥିବା ରାସ୍ତା ପାର୍ଶ୍ୱରେ ପ୍ରାୟ ଦଶ ହଜାର ଫୁଲକୁଣ୍ଡ ରଖାଯାଇଛି |

Related Posts