ୟୁପିରେ ଗତ ୩୭ ବର୍ଷରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ଯୋଗୀ ପ୍ରଥମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟଥର ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅନେକ ଅତିଥୀ ଉପସ୍ଥିତ ରହଥିଲେ । ସେପଟେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି । ତେବେ ଉତ୍ତର ପ୍ରଦେଶରେ ଗତ ୩୭ ବର୍ଷରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ଯୋଗୀ ଆଦିତ୍ୟନାଥ ପ୍ରଥମ ମୁଖ୍ୟମନ୍ତ୍ରୀ। ଯୋଗୀଙ୍କ ପୂର୍ବରୁ କଂଗ୍ରେସର ନାରାୟଣ ଦତ୍ତ ତିଓ୍ଵାରୀ ୧୯୮୫ରେ ଏହି ସଫଳତା ହାସଲ କରିଥିଲେ। ସେ ଅବିଭାଜିତ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କ୍ରମାଗତ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ କାର୍ୟ୍ୟକାଳ ପରେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ କ୍ରମାଗତ ଦ୍ଵିତୀୟ ଥର କ୍ଷମତାକୁ ଫେରିବାରେ ସଫଳ ହୋଇନଥିଲେ।ଏନଡି ତିଓ୍ଵାରୀଙ୍କ ପୂର୍ବରୁ ତିନି ଅନ୍ୟ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଫେରିବାରେ ସଫଳ ହୋଇଥିଲେ। ୧୯୫୭ରେ ସଂପୂର୍ଣ୍ଣାନନ୍ଦ, ୧୯୬୨ରେ ଚନ୍ଦ୍ରଭାନୁ ଗୁପ୍ତା ଏବଂ ୧୯୭୪ରେ ହେମବତୀ ନନ୍ଦନ ବହୁଗୁଣା ଲଗାତାର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ। ଯୋଗୀ ୟୁପିର ପଞ୍ଚମ ମୁଖ୍ୟମନ୍ତ୍ରୀ ଯିଏ କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କେବଳ ଏତିକି ନୁହେଁ ବରଂ ୟୁପିରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରାଇବାରେ ମଧ୍ୟ ଯୋଗୀ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ।

ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ କଲ୍ୟାଣ ସିଂହ, ରାମ ପ୍ରକାଶ ଗୁପ୍ତା ଏବଂ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ କେହି ମଧ୍ୟ ଦ୍ଵିତୀୟ ଥର କ୍ଷମତା ହାସଲ କରି ପାରି ନାହାନ୍ତି। ଯୋଗୀ ୟୁପିରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଲଗାତାର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉତ୍ତର ପ୍ରଦେଶରେ ୧୫ ବର୍ଷ ପରେ ବିଧାନସଭାର କୌଣସି ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ କାର୍ୟ୍ୟକାଳରେ ଯେବେ ଯୋଗୀ ମୁଖ୍ୟମନ୍ତ୍ରୀ ହେଲେ ସେହି ସମୟରେ ସେ ଲୋକସଭାର ସାଂସଦ ଥିଲେ। ଲୋକସଭା ସଦସ୍ୟତା ଛାଡିବା ପରେ ସେ ବିଧାନ ପରିଷଦରୁ ନିର୍ବାଚିତ ହୋଇଥିଲେ। ଯୋଗୀଙ୍କ ପୂର୍ବରୁ ଅଖିଳେଶ ଯାଦବ ଏବଂ ମାୟାବତୀ ମଧ୍ୟ ବିଧାନ ପରିଷଦର ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ଯୋଗୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts