
ଆରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ | ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ତାଙ୍କ ନିଧନ ଖବର ସମଗ୍ର ଓଡିଶା ରାଜନୀତି ମାହୋଲ ରେ ଶୋକର ଛାୟା ଖେଳାଇଦେଇଥିଲା | ତାଙ୍କ ଦେହାନ୍ତ ଖବରକୁ ନେଇ ଗଭୀର ଶୋକପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ବୋଲି କହିବା ସହିତ ସମାଜର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୁହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ଅନ୍ୟପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ନିଜର ଶୋକବ୍ୟକ୍ତ କରିଥିଲେ । ସେ କହିଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା । ଏଥିସହିତ ରାଜ୍ୟର ବିକାଶ ବିଶେଷ ଭାବରେ ଜନଜାତିଙ୍କ ପାଇଁ ତାଙ୍କର ବିଶେଷ ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ।
ଆଜି ବିଧାନସଭା ପରିସରରେ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେହିପରି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ନିରଞ୍ଜନ ପଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମର ଶରୀର ନିକଟରେ ବନ୍ଧୁ ପରିବାର ବର୍ଗଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। କଂଗ୍ରେସ ଭବନରୁ ମରଶରୀରକୁ ତାଙ୍କ ପୈତୃକ ଗାଁ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ର ଠାକୁରପଡ଼ା ନିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପର୍ନ କରାଯିବ ।