ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ନେବେ ସିଡିଏସ ବିପିନ ରାୱତ

ପଞ୍ଚଭୂତରେ ଲୀନ ହେବେ ସିଡିଏସ ବିପିନ ରାୱତ। ଆରଂଭ ହୋଇଯାଇଛି ତାଙ୍କ ଅନ୍ତିମଯାତ୍ରା । ଦିଲ୍ଲୀ କୈଣ୍ଟ ବରାର ସ୍କୋୟାରରେ ହେବ ଅନ୍ତିମ ସଂସ୍କାର । ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ ଏବଂ ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ । ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ। ତାଙ୍କର ଶବ ସଂସ୍କାର ବ୍ୟବସ୍ଥା କରୁଛନ୍ତି ୫/୧୧ ଗୋର୍ଖା ରାଇଫଲ୍‌। ପ୍ରଥମେ ଜେନେରାଲ୍‌ ରାୱତ୍‌ ଏହି ୟୁନିଟ୍‌ରେ ସାମିଲ ହୋଇଥିଲେ । ଆଜି ସକାଳୁ ଅନେକ ବିଶିଷ୍ଟ ବ୍ୟକ୍ତି କାମରାଜସ୍ଥିତ ରାୱତ୍‌ଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେମାନଙ୍କ ମଧ୍ୟରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କଂ‌ଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି । ଜେନେରାଲ୍‌ ରାୱତ୍‌ ଏବଂ ମଧୁଲିକାଙ୍କର ଦୁଇ କନ୍ୟା କୃତ୍ତିକା ଏବଂ ତାରିଣୀ ମଧ୍ୟ ପିତାମାତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି । ତେଣେ, ବୁଧବାର ଦିନ ତାମିଲନାଡୁରେ ‌ସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ସିଡିଏସ୍‌’ ଜେନେରାଲ୍‌ ରାୱତ୍‌ ଏବଂ ଆଉ ୧୨ଜଣଙ୍କ ମୃତ୍ୟୁ ବିଷୟରେ ଗୁଜବ ନ କରିବାକୁ ଭାରତୀୟ ବାୟୁସେନା ନିବେଦନ କରିଛି।

Related Posts