ଭୁବନେଶ୍ବର: ତଦନ୍ତ କମିସନ ଫାଇଲ୍‌ ହଜିବା ମାମଲାରେ ଗୃହ ବିଭାଗରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ନିଖୋଜ ଫାଇଲ ଘଟଣାର ତନାଘନା ଚଳାଇଛି। ପ୍ରାରମ୍ଭିକ ତଦନ୍ତ ସହ ପ୍ରମାଣ ଖୋଜା ଚାଲିଥିବା କହିଛନ୍ତି ପୁଲିସ କମିସନର। ଏନେଇ ପୁଲିସ କମିସନରଙ୍କ ନେତୃତ୍ୱରେ ଗଠନ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ । ଏହି ଟିମରେ ଜଣେ ଏସପି ଓ ଦୁଇ ଜଣ ଆଇଆଇସି ଅଛନ୍ତି। ରାଜ୍ୟ ସଚିବାଳୟର ଗୃହ ବିଭାଗରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି। ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ଅଧ ଘଣ୍ଟା କାଳ ପଚରାଉଚରା କରାଯାଇଛି। ଗୃହ ବିଭାଗରୁ ତଦନ୍ତ କମିଶନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଏଫଆଇଆର ଦାଖଲ ହୋଇଥିଲା। ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡରେ ନାଇଡୁ କମିଶନ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ରିପୋର୍ଟ ଫାଇଲ ମିଳୁନଥିବାରୁ ପ୍ରଶାସନରେ ଚିନ୍ତା ବଢ଼ିଛି। ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ତଥ୍ୟ ଆଧାରରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା। ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଫାଇଲ ଫେରି ନାହିଁ। ଯଦି ତତକାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ଫେରିଥାନ୍ତା ତେବେ ପ୍ରମାଣ ରହିଥାନ୍ତା ବୋଲି ସେ କହିଛନ୍ତି। ଏହା ଭୁଲବଶତଃ ନୁହେଁ , ବରଂ ଉଦ୍ଦେଶ୍ୟ ମୂଳକ ଭାବେ ଏପଟସେପଟେ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।