ଇଣ୍ଡୋନେସିଆ ରେ ଫୁଟବଲ ମ୍ୟାଚ ବେଳେ ହିଂସା ଓ ଦଳାଚକଟା ରେ ୧୨୯ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଣ୍ଡୋନେସିଆ ରେ ଏକ ଫୁଟବଲ ମ୍ୟାଚ ଚାଲିଥିବା ସମୟରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡ ଓ ଦଳାଚକଟା ଦେଖିବାକୁ ମିଳିଛି। ଏହାଫଳରେ ପ୍ରାୟ ୧୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୮୦ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି। ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ଜାଭାର ମଲାଙ୍ଗ ଅଞ୍ଚଳରେ ଆରେମା ଏଫସି ଓ ପରସେବାୟା ସୁରାବାୟା ମଧ୍ୟରେ ଶନିବାର ରାତିରେ ଫୁଟବଲ ମ୍ୟାଚ୍ ଚାଲିଥିଲା। ଏହି ମ୍ୟାଚରେ ଗୋଟିଏ ଟିମ୍‌ ପରାସ୍ତ ହେବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଟିମର ସମର୍ଥକମାନେ ପରସ୍ପରକୁ ଆକ୍ରମଣ କରିଥିଲେ।

ଆରେମା ଏଫସି ଏହି ମ୍ୟାଚ୍‌ରେ ପରାଜିତ ହେବାପରେ ଏହି ଦଳର ହଜାର ହଜାର ଫ୍ୟାନ୍‌ ସିଧା ପଡ଼ିଆ ଭିତରକୁ ପ୍ରବେଶ କରି ହିଂସାକାଣ୍ଡ ଆରମ୍ଭ କରିଥିଲେ। ତେବେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ପଡ଼ିଆରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଥିଲେ। ଫଳରେ ଭୟରେ ପଡିଆ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । ଏହାଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପୂର୍ବ ଜାଭା ପୁଲିସ ମୁଖ୍ୟ ନିକୋ ଆଫିଣ୍ଟା ରିପୋର୍ଟରମାନଙ୍କୁ ସୂଚନା ଦେଇଛନ୍ତି।

ଏହି ମ୍ୟାଚ୍‌ରେ ଭିଡିଓ ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଛି। ଘଟଣା ବିଷୟରେ ସୂଚନା ଦେଇ ଇଣ୍ଡୋନେସିଆର କ୍ରୀଡାମନ୍ତ୍ରୀ ଜୈନୁଦ୍ଦିନ ଅମଲୀ କହିଛନ୍ତି ଯେ, ଫୁଟବଲ୍‌ ମ୍ୟାଚ୍‌ର ସୁରକ୍ଷା ନେଇ ପୁନଃ ସମୀକ୍ଷା କରାଯିବ। ୧୨୯ ଜଣଙ୍କର ମୃତ୍ୟୁ ପରେ ପରବର୍ତ୍ତୀ ମ୍ୟାଚ୍ ଗୁଡିକରେ ଦର୍ଶକଙ୍କୁ ଅନୁମତି ଦେବା ନେଇ ବିଚାର କରାଯିବ ବୋଲି ଜୈନୁଦ୍ଦିନ ଅମାଲି କହିଛନ୍ତି।

ଅନ୍ୟପଟେ ଏହି ଘଟଣା ପରେ ଫୁଟବଲ ଆସୋସିଏସନ୍ ଅଫ୍ ଇଣ୍ଡୋନେସିଆ( ପିଏସଏସଆଇ ) ଇଣ୍ଡୋନେସିଆ ଟପ୍ ଲିଗ୍ ବ୍ରି ଲିଗା ମ୍ୟାଚ୍‌କୁ ୧ ସପ୍ତାହ ପାଇଁ ନିଲମ୍ବିତ କରିଛି। ଏହାସହିତ ଏହି ହିଂସାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ପିଏସ୍‌ଏସ୍ଆଇ ସୂଚନା ଦେଇଛି।

Related Posts