ସୋନିଆଙ୍କ ଜୋତାର ଫିତା ବାନ୍ଧିଲେ ରାହୁଲ ଗାନ୍ଧୀ; ଭାରତ ଯୋଡୋ ଯାତ୍ରାରୁ ସାମ୍ନାକୁ ଆସିଲା ଦୃଶ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ଦିନର ବିରତି ପରେ ଗୁରୁବାର ପୁଣି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଆରମ୍ଭ ହୋଇଛି। ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରା ସମୟରେ ରାହୁଲ ମା’ ସୋନିଆଙ୍କ ଜୋତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଗୁରୁବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ପୁନର୍ବାର କର୍ଣ୍ଣାଟକର ମାଣ୍ଡ୍ୟାରୁ ଆରମ୍ଭ ହୋଇଥିଲା। ସୋନିଆ ଗାନ୍ଧୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସୋନିଆ ଏହି ଯାତ୍ରାରେ ଯୋଗ ଦେବା ପରେ କଂଗ୍ରେସ ନେତା ଓ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିବା ଦେଖିବାକୁ ମିଳିଛି।

କର୍ଣ୍ଣାଟକ କଂଗ୍ରେସର ସଭାପତି ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଡି.କେ ଶିବକୁମାର ଏହି ଅବସରରେ କହିଛନ୍ତି ଯେ, ଆମେ ରାଜ୍ୟରେ ଖୁବଶୀଘ୍ର କ୍ଷମତାକୁ ଆସୁଛୁ ଏବଂ ଏଠାରେ ଭାଜପାର ଦୋକାନ ବନ୍ଦ ହେବାକୁ ଯାଉଛି। ଆମେ ଗର୍ବିତ ଯେ ସୋନିଆ ଗାନ୍ଧୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା କେତେକ ରାଜ୍ୟର ବିଧାନସଭା ନିର୍ବାଚନରେ ସୋନିଆ ସ୍ବାସ୍ଥ୍ୟଗତ କାରଣରୁ ପ୍ରଚାରରେ ଭାଗ ନେଇ ନ ଥିଲେ। ଦୀର୍ଘ ଦିନ ପରେ ସେ ଦଳର କିଛି ବଡ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରାୟ ପାଞ୍ଚ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ କଶ୍ମୀରକୁ ଯିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ୩୫୭୦ କିଲୋମିଟର ପଥ ଅତିକ୍ରମ କରିବ।

Related Posts