କଟକ: ବାରମ୍ବାର ନୋଟିସ ସତ୍ତ୍ବେ ହାଜର ନ ହେଲେ ଅଭିଯୁକ୍ତଙ୍କୁ ସିଧା ଏନ୍ବିଡବ୍ଲୁଏ କରାଯାଇ ପାରିବ ନାହିଁ। ଏଭଳି ଏକ ଗୁରୁତ୍ବ ପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଲଗାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତ୍ବେ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଅଭିଯୁକ୍ତ ତ୍ରିନାଥ ଗୁରୁଙ୍କ ବିରୋଧରେ ଜାରି ଏନ୍ବିଡବ୍ଲୁଏକୁ ରଦ୍ଦ କରି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଜଣେ ବ୍ୟକ୍ତିର ସ୍ୱାଧୀନତାକୁ କ୍ଷୁଣ୍ଣ କରାଯାଇ ଯେତେବେଳେ ଜେଲ ପଠାଇ ଦିଆଯାଏ ସେଠାରେ ସମ୍ପୃକ୍ତ ବ୍ୟକ୍ତି ମାନସିକ ନିର୍ଯାତନାର ଶିକାର ହୋଇଥାନ୍ତି । ଏଠି ଅଭିଯୁକ୍ତଙ୍କୁ କ’ଣ ପାଇଁ ଏନ୍ବିଡବ୍ଲୁଏ (ଜାମିନ ବିହୀନ ଗିରଫ ପରୱାନା) ଜାରି କରାଯାଇଛି ତାହାର ଉପଯୁକ୍ତ କାରଣ ମଧ୍ୟ ଦର୍ଶାଯାଇ ନାହିଁ । ଅଦାଲତ ଏଭଳି କ୍ଷେତ୍ରରେ ଜାମିନଦାରଙ୍କୁ ନୋଟିସ୍ କରିପାରିଥାନ୍ତେ । ନଚେତ୍ ଅଭିଯୁକ୍ତ ବିରୋଧରେ ଜାମିନଯୁକ୍ତ ଗିରଫ ପରୱନା ଜାରି କରିପାରିଥାନ୍ତେ । ତେଣୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଏନ୍ବିଡବ୍ଲୁଏ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ନିମ୍ନ ଅଦାଲତଙ୍କ ଦ୍ୱାରା ଜାରି ଏନ୍ବିଡବ୍ଲୁଏକୁ ଖାରଜ କରି ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଆବେଦନକାରୀ ଅଭିଯୁକ୍ତ ୨୦୨୫ ଡିସେମ୍ବର ୨୩ରୁ ଜାମିନରେ ଅଛନ୍ତି। କିନ୍ତୁ ଏହି ଜାମିନ ଅବଧି ଶେଷ ପରେ ଅଭିଯୁକ୍ତ ଅଦାଲତରେ ହାଜର ନହେବାରୁ ତାଙ୍କୁ ହାଜର ପାଇଁ ବାରମ୍ବାର ନୋଟିସ୍ କରାଯାଇଥିଲା। କିନ୍ତୁ ସେ ହାଜର ନ ହେବାରୁ ନିମ୍ନ ଅଦାଲତ ସିଧାସଳଖ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍ବିଡବ୍ଲୁଏ) ଜାରି କରିଥିଲେ। ଲଖନପୁର ଜେଏମ୍ଏଫ୍ସି ସିଧାସଳଖ ଏନ୍ବିଡବ୍ଲୁଏ ଜାରି କରିଥିଲେ। ଏହାକୁ ଚାଲେଞ୍ଜ୍ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
