ମାଲକାନଗିରି, ୧୨|୬(ସପ୍ର ): ବିଦେଶରେ ନିଜ କଳା ଫୁଟାଇଲେ ଆଦିବାସୀ ପିଲା। ଏସିଆ ମହାଦେଶର ରୋମାନିଆରେ ଚମକିଲେ ମାଲକାନଗିରିର ୨ ଆଦିବାସୀ କଳାକାର। ବିଶ୍ବ ସେକ୍ସପିୟର ଫେଷ୍ଟିଭାଲରେ ସାନ୍ତାଳି ଭାଷାରେ ନାଟକ ମଞ୍ଚସ୍ଥ କରି ପ୍ରଶଂସା ସାଉଣ୍ଟିଲେ ସ୍ବାଭିମାନ ଅଞ୍ଚଳର ସୁନା ଝିଅ ରଶ୍ମିତା ତାମରାବି ଏବଂ ଖଇରପୁଟ ବ୍ଲକ ଅରଙ୍ଗି ଗାଁର ଅନନ୍ତ ଆଙ୍ଗ୍ରା। ଓଡ଼ିଶାରୁ ୨୦ ଜଣ ମଧ୍ୟରୁ ମାଲକାନଗିରିରୁ ୨ ଆଦିବାସୀ ପ୍ରତିଭା ନିଜ ପାରମ୍ପରିକ ବେଶ ପୋଷାକରେ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଥିଲିରେ ଶୋଭାଯାତ୍ରା ମାଧ୍ୟମରେ ସ୍ବାଗତ କର ାଯାଇଥିଲା। ପରେ ସହର ପରିକ୍ରମା କରି ମାଥିଲି ଉତ୍କଳମଣୀ ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଶ୍ବ ନାଟକ ମଞ୍ଚରେ ଆଦିବାସୀ ପିଲାମାନଙ୍କୁ ନେଇ ସାନ୍ତାଳି ଭାଷାରେ ସେକ୍ସପିୟରଙ୍କ ୩ଟି ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଶଂସା କରିଛନ୍ତି ।
