ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି ନେତୃତ୍ବରେ ବିଜେପି ସରକାର ଓଡ଼ିଶାରେ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏ ନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଛନ୍ତି , ଆମ ସରକାରରେ ୧୨୧ଟି ନୂଆ ଯୋଜନା ଲାଗୁ ହୋଇଛି। ଏବେ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ପାରୁଛନ୍ତି। କିନ୍ତୁ ଗଲା ୨୪ ବର୍ଷରେ କଥାକଥିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ନଥିଲା। ପ୍ରତ୍ୟେକ ଗାଁରେ ପାଣି, ରାସ୍ତା, ବିଦ୍ୟୁତ୍ ସ୍ୱାଧୀନତା ପରେ ବି ମୌଳିକ ସୁବିଧା ନଥିଲା। ମିସନ ପାୱାରରେ ମିସନ ମୋଡ଼ରେ ଆମ ସରକାର ଏଗୁଡ଼ିକୁ ପୂରଣ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏକ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା। ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏହା ସହାୟକ ହେବ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ସେ କହିଛନ୍ତି, ପ୍ରଶାସନିକ କଳର ଢାଞ୍ଚା ପୂରା ବଦଳାଇ ଦେଇଛି ଆମ ସରକାର । ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦୁଆର ଖୋଲି ଦେଲେ ସାଧାରଣ ଜନତାଙ୍କ ପାଇଁ । ଏବେ ଜନତା ନିଜ ଦୁଃଖ, ସମସ୍ୟା କଥା କହୁଛନ୍ତି ସିଧା ମୁଖ୍ୟମନ୍ତ୍ରୀଙ୍କୁ । ମୁଖ୍ୟମନ୍ତ୍ରୀ ବି ଶୁଣୁଛନ୍ତି, ସମାଧାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ-ସାଧାରଣ ଜନତାଙ୍କ ଭିତରେ ଥିବା ପ୍ରତିବନ୍ଧକ ଦୂର ହୋଇଛି । ଏବେ ଜନତା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଅଭିଯୋଗ ଜଣାଉଛନ୍ତି । ବିଜୁଳି ବେଗରେ ପ୍ରଶାସନ ଲାଗି ପଡ଼ୁଛି ଜନତାଙ୍କ ସମସ୍ୟାର ସମାଧାନ ପାଇଁ। ଏଣିକି ଓଡ଼ିଶାରେ ଦୌଡ଼ିବ ବିକାଶର ଏକ୍ସପ୍ରେସ । ଆଉ ଛୋଟମୋଟ ନୁହେଁ, ବିଶ୍ୱସ୍ତରୀୟ ନିର୍ମାଣ । ଭିତ୍ତି ପଡ଼ିଛି, ନକ୍ସା ବି ତିଆରି ସରିଛି । ଆଉ ତିନି ବର୍ଷ ବେଳକୁ ଭିତ୍ତିଭୂମି ନିର୍ମାଣରେ ଉଦାହରଣ ପାଲଟିବ ଓଡ଼ିଶା । ସାକାର ହେବ ବିକଶିତ ଓଡ଼ିଶାର ସ୍ୱପ୍ନ । ଏସ୍ସିବି ମେଡିକାଲ କଲେଜର ନିର୍ମାଣର ମାନ ଓ ଅତ୍ୟାଧୁନିକ ଭିତ୍ତିଭୂମି ଶୈଳୀ ଉଦାହରଣ ପାଲଟିବ । ଗରିବ ଲୋକଙ୍କ ରହଣୀ ପାଇଁ ରାଜଧାନୀର ଛାତି ଉପରେ ଠିଆ ହେବ ୨୦ ମହଲାର ନଭଶ୍ଚୁମ୍ଭୀ ଅଟ୍ଟାଳିକା । ନାଁ ରହିବ ‘ଜନାଶ୍ରୟ’ । ପୁଣି ରାଜ୍ୟ ପାଇଁ ନୂଆ ବିଧାନସଭା ଓ ନୂଆ ସଚିବାଳୟ ଗଢ଼ାଯିବ । କେନ୍ଦୁଝର ଘଟଗାଁରେ ମା’ ତାରିଣୀଙ୍କ ପୀଠ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ପାଲଟିବ ବୋଲି ସେ କହିଛନ୍ତି। ଆଉ କିଛି ମାସ ପରେ ନୂଆ କ୍ୱାର୍ଟର୍ସକୁ ଯିବେ ମନ୍ତ୍ରୀ ଓ ବିଧାୟକ । ଭିତ୍ତିଭୂମିକୁ ନୂଆ ଉଚ୍ଚତାକୁ ନେବାକୁ ଏମିତି କସରତ ଚଳାଇଛନ୍ତି ମୋହନ ସରକାର । ମୋଟୁରୁ ତିରିଂ ଯାଏ ଲମ୍ବିବ ମେରୁଦଣ୍ଡ ଏକ୍ସପ୍ରେସୱେ । ଏ ରାସ୍ତା ଖାଲି ଦକ୍ଷିଣ ମୁଣ୍ଡରୁ ବାହାରି ଉତ୍ତର ମୁଣ୍ଡକୁ ଯୋଡ଼ିବନି, ବରଂ ଅଧା ଓଡ଼ିଶାର ଲାଇଫ୍ ଲାଇନ ପାଲଟିବ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଗଢ଼ି ଉଠିବ ଅର୍ଥନୈତିକ କରିଡର । ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ ହେବ ନୂଆ ସଡ଼କ ପଥ । ଭିଡ଼ମୁକ୍ତ ସହର ଯୋଜନାରେ ରାଜଧାନୀରେ ଏକାଧିକ ନୂଆ ରାସ୍ତା, ଫ୍ଲାଏଓଭର ହେବ । ୩୭ଟି ପ୍ରକଳ୍ପ ପାଇଁ ୮ହଜାର କୋଟି ଖର୍ଚ୍ଚ କରିବେ । ଜୟଦେବ ବିହାରରୁ ନନ୍ଦନକାନନ ଯାଏ ଏଲିଭେଟେଡ କରିଡର ହେବ । ପ୍ରଥମ ଥର ପାଇଁ ରାଜ୍ୟବାସୀ ଦେଖିବେ କେବଲ ଷ୍ଟେଅର୍ଡ ବ୍ରିଜ୍ । ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଆସିବା ପରେ କୃଷିରେ ଚମକାଇଲା ଭଳି ଅଭିବୃଦ୍ଧି ହୋଇଛି । ଗତ ଦୁଇ ବର୍ଷ ହେବ କୃଷି ବଜେଟରେ ବ୍ୟୟବରାଦ ବୃଦ୍ଧି ସହ ବଢ଼ିଛି ଉତ୍ପାଦନ । ୨୦୨୩-୨୪ରେ କୃଷି ବଜେଟ ୭୧୩୫.୮୯ କୋଟି ଟଙ୍କା ଥିଲା । ୨୦୨୪-୨୫କୁ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇ ୧୩,୧୮୪.୪୯ କୋଟିରେ ପହଞ୍ଚିଥିଲା । ୨୦୨୫-୨୬ରେ ୧୪,୯୫୦.୭୧ କୋଟି ଓ ୨୦୨୬-୨୭ରେ ୧୫,୦୩୯.୮୯ କୋଟିରେ ପହଞ୍ଚିଛି । ଜାତୀୟସ୍ତରରେ କୃଷି ଅଭିବୃଦ୍ଧି ହାର ୩.୧% ଥିବା ବେଳେ ଓଡ଼ିଶାରେ ୫.୩% । ‘ସମୃଦ୍ଧ କୃଷକ ଯୋଜନା’ ବେଶ ପ୍ରଶଂସା ସାଉଁଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
