ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ମହିଳା ଟ୍ବେଣ୍ଟି-୨୦ ବିଶ୍ବକପରେ ବିଜୟ ଧାରାରୁ ନିଜ ଯାତ୍ରା ଆରମ୍ଭ କରିଛି ଭାରତ। ରବିବାର ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ପାକିସ୍ତାନକୁ ୬୪ ରନ୍ରେ ପରାସ୍ତ କରିଛି । ବର୍ମିଂହାମରେ ଭାରତୀୟ ଟିମ୍ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି । ପାକିସ୍ତାନ ୧୭୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଦଳ ୧୭ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା । ପାକିସ୍ତାନ ପାଇଁ ପ୍ରାରମ୍ଭିକ ବ୍ୟାଟର ମୁନୀବା ଅଲି ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୩୫ଟି ବଲ୍ ଖେଳି ୫ଟି ଚୌକା ବଳରେ ୪୧ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍ ଦେଇଥିଲେ । ସେଫାଳି ବର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୦ ରନ୍ କରିଥିଲା । ଭାରତ ପାଇଁ ସ୍ମୁତି ମନ୍ଧାନା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୪୪ଟି ବଲ୍ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୬୮ ରନ୍ ସଂଗ୍ରହ କରିଥିଲେ । ସେହିପରି ହରମନପ୍ରୀତ କୌର ୩୫ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୩୬ ରନ୍ ସଂଗ୍ରହ କରିଥିଲେ । ପ୍ରାରମ୍ଭିକ ବ୍ୟାଟର ସେଫାଳି ବର୍ମା ୬ ରନ୍ ଏବଂ ଭାରତୀ ଫୁଲମାଳି ଏକ ରନ୍ କରିଥିଲେ । ରିଚା ଘୋଷ ୧୭ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୪ ରନ୍ କରିଥିଲେ ।
