ଡାମ୍ବୁଲା: ତ୍ରିରାଷ୍ଟ୍ରୀୟ ସିରିଜ ଚାଲିଥିବାବେଳେ ସୁପର୍‌ ଓଭରରେ ଶ୍ରୀଲଙ୍କା ‘ଏ’ଠାରୁ ହାରିଲା ଭାରତ ‘ଏ’। ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତ ‘ଏ’ ଦଳ ସୁପର୍‌ ଓଭରରେ ହାରିଯାଇଛି। ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମୁକାବିଲାରେ ଭାରତୀୟ ଦଳ ୭ ରନ୍‌ରେ ଘରୋଇ ଶ୍ରୀଲଙ୍କା ‘ଏ’ଠାରୁ ହାରିଯାଇଛି। ନିର୍ଦ୍ଧାରିତ ୫୦ ଓଭର ବେଳେ ଉଭୟ ଦଳ ସମାନ ୨୬୫ ରନ୍ ଲେଖାଏଁ କରି ଟାଇ କରିଥିଲେ। ସୁପର୍‌ ଓଭରରେ ଶ୍ରୀଲଙ୍କା ୧୬ ରନ୍‌ କରିବା ପରେ ଭାରତ କେବଳ ୯ ରନ୍‌ରେ ସୀମିତ ରହିଯାଇଥିଲା। ସୂର୍ଯ୍ୟବଂଶୀ (୩ ବଲ୍‌ରୁ ୬ ରନ୍) ଏବଂ ସୂର୍ଯ୍ୟାଂଶ ସେଜ୍‌ (୩ ବଲ୍‌ରୁ ୩ ରନ୍)ଙ୍କୁ କୁଗାଥାସ ମୁଥାଲନ୍‌ ରୋକି ଦେଇଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା ‘ଏ’ ୪ ପଏଣ୍ଟ ପାଇ ଶୀର୍ଷକୁ ଉନ୍ନୀତ ହୋଇଛି। ଭାରତ ‘ଏ’ ୨ ପଏଣ୍ଟରେ ସୀମିତ ରହିଯାଇଛି। ଉଭୟ ଏବେ ଆଫଗାନିସ୍ତାନ ସହିତ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ଖେଳିବେ। ରଣଗିରି ଡାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ୪୯.୨ ଓଭରରେ ୨୬୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଏକଦା ୧୪୩/୭ରେ ସଂଘର୍ଷ କରୁଥିବା ଭାରତ ପାଇଁ ୭ ନମ୍ବର ବ୍ୟାଟର୍‌ ସୂର୍ଯ୍ୟାଂଶ ସେଜ୍‌ (୬୬ ବଲ୍‌ରୁ ୭୧ ରନ୍) ଏବଂ ୯ ନମ୍ବର ବ୍ୟାଟର୍‌ ବିପ୍ରଜ ନିଗମ (୪୯ ବଲ୍‌ରୁ ୫୧ ରନ୍) କରି ସମ୍ମାନ ରଖିଥିଲେ। ପୂର୍ବରୁ ଋତୁରାଜ ଗାଏକ୍ବାଡ୍‌ (୩୭), ତିଳକ ବର୍ମା (୨୩), ବୈଭବ ସୂର୍ଯ୍ୟବଂଶୀ (୨୧) ଭଲ ଆରମ୍ଭ କରିବା ସତ୍ତ୍ବେ ଲମ୍ବା ପାଳି ଖେଳିପାରି ନଥିଲେ। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ସିରାଜ ଏବଂ ବିଜୟକାନ୍ତ ବିୟସକାନ୍ତ ସର୍ବାଧିକ ୩ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଶ୍ରୀଲଙ୍କା ସମାନ ସ୍ଥିତି ଦେଇ ଗତି କରିବାରୁ ନିର୍ଦ୍ଧାରିତ ୫୦ ଓଭରରେ ୨୬୫/୯ରେ ଅଟକିଯାଇଥିଲା। ସଦିରା ସମରବିକ୍ରମା (୯୩) ଲଢ଼ୁଆ ପାଳି ଖେଳିଥିବାବେଳେ ୱିକେଟରକ୍ଷକ ଓପନର୍‌ ନିରୋଶନ ଡିକୱାଲା ୩୭ ରନ୍‌ କରିଥିଲେ। ଭାରତ ‘ଏ’ ପକ୍ଷରୁ ଆୟୁଷ ବଦୋନି ସର୍ବାଧିକ ୨ ୱିକେଟ୍‌ ଏବଂ ଅର୍ସଦ ଖାନ୍, ନିଶାନ୍ତି ସିଦ୍ଧୁ, ବିପ୍ରଜ ନିଗମ, ଅନୁକୁଳ ରୟ, ସୂର୍ଯ୍ୟାଂଶୁ ସେଜ୍‌ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।