ଅଯୋଧ୍ୟା(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ଦାନ ଅର୍ଥ ଚୋରି ମାମଲାରେ ଦୀର୍ଘ ୬ ଦିନ ଧରି ଖୋଳତାଡ଼ ପରେ ଏସଆଇଟି ୧୫ ପୃଷ୍ଠା ସମ୍ବଳିତ ପ୍ରାଥମିକ ତଦନ୍ତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିଛି। ଯଦିଓ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି, କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଖୁଲାସା ଆଗାମୀ ଦିନରେ ବଡ଼ ଧରଣର ରାଜନୈତିକ ଝଡ଼ ସୃଷ୍ଟି କରିବାକୁ ଯାଉଛି। ରିପୋର୍ଟ ଅନୁସାରେ, ଏସଆଇଟିର ଏହି ପ୍ରାଥମିକ ରିପୋର୍ଟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଭୂମିକାକୁ ସନ୍ଦେହଜନକ ବୋଲି ଦର୍ଶାଯାଇଛି। ଏହାସହ ମନ୍ଦିରରେ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି। ଏହାସହିତ ସେଠାରେ ଅନେକ କର୍ମଚାରୀ ସେଠାରେ କାମ କରୁଛନ୍ତି, ଯେଉଁମାନଙ୍କ ନିଯୁକ୍ତି ପାଇଁ କୌଣସି ଲିଖିତ ଆଦେଶ ନାହିଁ କିମ୍ବା ସେମାନଙ୍କର ବ୍ୟାକଗ୍ରାଉଣ୍ଡ (ପୃଷ୍ଠଭୂମି) ଯାଞ୍ଚ କରାଯାଇ ନାହିଁ ବୋଲି ସୂଚନା ମିଳିଛି। ଦାନ ବାକ୍ସର ଗଣତି ଏବଂ ଏହାର ତଦାରଖ ବ୍ୟବସ୍ଥାରେ ମଧ୍ୟ ଚରମ ଅବହେଳା କରାଯାଉଥିବା ସାମ୍ନାକୁ ଆସିଛି। ତଦନ୍ତ ବେଳେ ମନ୍ଦିରକୁ ଆସୁଥିବା ଦାନ ରାଶି ମଧ୍ୟରେ ଅସ୍ବାଭାବିକ ତାରତମ୍ୟ ଦେଖିବାକୁ ମିଳିଛି। ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ଶ୍ରଦ୍ଧାଳୁଙ୍କ ସଂଖ୍ୟାର ପରିସଂଖ୍ୟାନକୁ ମିଳାଇବା ପରେ ଜଣାପଡ଼ିଛି ଯେ, ଅନେକ ସମୟରେ ଭକ୍ତଙ୍କ ଭିଡ଼ ବଢ଼ିଥିଲେ ମଧ୍ୟ ଦାନର ପରିମାଣ କମ୍ ଦେଖାଯାଇଛି। ପଚରାଉଚରା ବେଳେ ଅଧିକାରୀମାନେ ଯୁକ୍ତି ଦର୍ଶାଇଥିଲେ ଯେ ସେହି ସମୟରେ ନୋଟ୍ ବଦଳରେ କଏନ୍ ଅଧିକ ମିଳିଥିଲା, ମାତ୍ର ଏହି ଉତ୍ତରରେ ତଦନ୍ତକାରୀ ସଂସ୍ଥା ସନ୍ତୁଷ୍ଟ ହୋଇନାହିଁ। ସେହିପରି, ଗତ ୫ ବର୍ଷ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ସମ୍ପତ୍ତି ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ସନ୍ଦେହକୁ ଦ୍ୱିଗୁଣିତ କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି, ତାର ସଠିକ୍ ଆକଳନ ଏସଆଇଟି କରିପାରି ନାହିଁ। କାରଣ ଭକ୍ତମାନେ ଦେଉଥିବା ଦାନର କୌଣସି ଶୃଙ୍ଖଳିତ ରେକର୍ଡ ବା ଖାତା ମନ୍ଦିର ପ୍ରଶାସନ ପାଖରେ ଉପଲବ୍ଧ ନାହିଁ। ଏହି ସମସ୍ତ ଦିଗରେ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।