ଲକ୍ଷ୍ନୌ, ୨୫।୬: ଉତ୍ତରପ୍ରଦେଶରେ ଦିନକୁ ଦିନ ସମାଜବାଦୀ ପାର୍ଟି ନେତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହିକ୍ରମେ ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କୁ ଶକ୍ତ ଝଟକା ଲାଗିଛି। ଆୟକର ବିଭାଗ ଆଜମ ଖାନଙ୍କ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟର ପଞ୍ଜିକରଣ ବାତିଲ କରିଥିବା ସୂଚନା ମିଳିଛି। ଆୟକର ବିଭାଗର ଆଦେଶ ଅନୁସାରେ ଟ୍ରଷ୍ଟର କାର୍ଯ୍ୟକଳାପକୁ ଅଣ-ସାର୍ବଜନୀନ ଏବଂ ଅନିୟମିତ ବୋଲି ବର୍ଣ୍ଣନା କରାଯାଇଛି। ଏହା ବ୍ୟତୀତ ଜୌହର ଟ୍ରଷ୍ଟକୁ ଏବେ ଭାରୀ କର, ସୁଧ ଏବଂ ଦଣ୍ଡ ଦେବାକୁ ପଡ଼ିବ ବୋଲି ଜଣାପଡିଛି। ଏହି ନିଷ୍ପତ୍ତି ପରେ ଜୌହର ଟ୍ରଷ୍ଟ ଆଉ କୌଣସି କାର୍ଯ୍ୟକଳାପ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ପ୍ରକୃତରେ ଆୟକର ବିଭାଗ ଟ୍ରଷ୍ଟର କାର୍ଯ୍ୟକଳାପକୁ ସନ୍ଦେହଜନକ ବୋଲି ଅନୁମାନ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଜଣାପଡିଥିଲା ଯେ, ଉକ୍ତ ଟ୍ରଷ୍ଟ କୌଣସି ଜନହିତକର କାର୍ଯ୍ୟରେ ନିୟୋଜିତ ନଥିଲା। ମୁଖ୍ୟ ଟ୍ରଷ୍ଟି ଭାବରେ ଏହି ଟ୍ରଷ୍ଟରେ ଆଜମ ଖାନ ଏବଂ ତାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ଟ୍ରଷ୍ଟର ସଦସ୍ୟ, ଅନ୍ୟ କିଛି ଟ୍ରଷ୍ଟି/ସଦସ୍ୟ ଅଛନ୍ତି। ଜଣାପଡିଛି ଯେ, କରଦାତା ଟ୍ରଷ୍ଟ ରାମପୁର ପବ୍ଲିକ୍ ସ୍କୁଲ ଏବଂ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟ ମଧ୍ୟ ପରିଚାଳନା କରେ। ଏହି ବିଶ୍ୱବିଦ୍ୟାଳୟଟି ୨୦୦୬ ମସିହାରେ ପ୍ରତିଷ୍ଠିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଆଜମ ଖାନ ବିଶ୍ୱବିଦ୍ୟାଳୟର ଆଜୀବନ କୁଳପତି। ତେବେ ଏହି ଟ୍ରଷ୍ଟ ମଧ୍ୟରେ ଲୋକଙ୍କ ଉପରେ ଚାପ ପ୍ରୟୋଗ କରି ଦାନ ସଂଗ୍ରହ କରାଯାଉଥିଲା। ଏହାସହିତ ଡମି ଟ୍ରଷ୍ଟିଙ୍କୁ ନିଯୁକ୍ତ କରାଯାଇଥିଲା। ତେଣୁ ପଦକ୍ଷେପସ୍ଵରୁପ ଲକ୍ଷ୍ନୌ ଆୟକର ବିଭାଗ ଟ୍ରଷ୍ଟର ପଞ୍ଜୀକରଣ ବାତିଲ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।
