ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ବଦଳିବ ଦେଶର ଆଇଟି ଚିତ୍ର। ଇ-କମର୍ସ କମ୍ପାନି ଆମାଜନ ୨୦୨୬ରୁ ୨୦୩୦ ମଧ୍ୟରେ ଭାରତରେ ମୋଟ ନିବେଶ କରିବ ୪୮ ବିଲିୟନ ଡଲାର ବା ପାଖାପାଖି ୪.୫୦ ଲକ୍ଷ କୋଟି ଟଙ୍କା। ବ୍ୟବସାୟ ସମ୍ପ୍ରସାରଣ କ୍ଷେତ୍ରରେ ଏହି ରାଶି ବ୍ୟବହାର ହେବ । ଏହା ମାଧ୍ୟମରେ ସୃଷ୍ଟି ହେବ ଲକ୍ଷ ଲକ୍ଷ ନିଯୁକ୍ତି । କମ୍ପାନି ସିଇଓ ଏଣ୍ଡି ଜେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏହି ଘୋଷଣା କରିଛି କମ୍ପାନି । ଜେସୀ ଭାରତ ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ କ୍ଲାଉଡ୍ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ବର୍ଷ ୨୦୩୦ ସୁଦ୍ଧା ଅତିରିକ୍ତ ୧୩ ବିଲିୟନ ଡଲାର ନିବେଶ ଘୋଷଣା କରିଛନ୍ତି ଜେସୀ। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ ରେ ଆମାଜନ ସିଇଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ୍କାରର ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମାଜନର ଭାରତରେ ଭବିଷ୍ୟତ ଯୋଜନାକୁ ନେଇ ଏହି ଆଲୋଚନା ଅତ୍ୟନ୍ତ ଫଳପ୍ରଦ ରହିଥିଲା । ଆମେ ଏକ ଦଶକରୁ ଅଧିକ ସମୟ ପୂର୍ବରୁ ଭାରତରେ ପାଦ ରଖିଥିଲୁ । ସେବେଠାରୁ ବିଭିନ୍ନ ବ୍ୟବସାୟ ଜରିଆରେ ଗ୍ରାହକ, ବିକ୍ରେତା, ଡେଭଲପର୍ସ, ଷ୍ଟାର୍ଟଅପ୍ ଏବଂ ବଡ଼ ଉଦ୍ୟୋଗଗୁଡ଼ିକୁ ସେବା ପ୍ରଦାନ କରୁଛୁ । ଭାରତରେ ଆମକୁ ଇ-କମର୍ସ, ଏଆଇ ଏବଂ କ୍ଲାଉଡ୍ ବ୍ୟବସାୟରେ ମଜଭୁତ ଅଭିବୃଦ୍ଧି ମିଳିଛି ।
ସେ ଆହୁରି କହିଲେ ଯେ, ଭାରତରେ ସମ୍ପ୍ରସାରଣ ସହିତ ଆମର ବ୍ୟବସାୟିକ ପ୍ରାଥମିକତା ଭାରତର ପ୍ରାଥମିକତା ସହ ଯୋଡ଼ି ହୋଇଛି। ଏଥିରେ ସମସ୍ତଙ୍କ ପର୍ଯ୍ୟନ୍ତ ଏଆଇକୁ ପହଞ୍ଚାଇବା, କ୍ଷୁଦ୍ର ବ୍ୟବସାୟଗୁଡ଼ିକର ଡିଜିଟାଲିକରଣ, ରୋଜଗାର ସୃଷ୍ଟି ଏବଂ ରପ୍ତାନିକୁ ସକ୍ଷମ କରିବା ଆଦି ଅନ୍ତର୍ଭୁକ୍ତ । ଜେସୀ କହିଲେ ଯେ, ଆମାଜନ ଆଗାମୀ ୫ ବର୍ଷରେ ଭାରତରେ ୪୮ ବିଲିୟନ ଡଲାର ନିବେଶ କରିବ, ଯେଉଁଥିରେ ୨୧ ବିଲିୟନ ଡଲାରରୁ ଅଧିକ ବା ୧.୭୫ ଲକ୍ଷ କୋଟି ଟଙ୍କା ନିବେଶ ଏଆଇ ଏବଂ କ୍ଲାଉଡ୍ ଭିତ୍ତିଭୂମିରେ କରାଯିବ । କମ୍ପାନି ଅନୁସାରେ, ଏହା ଭାରତରେ ଏଆଇ ଏବଂ କ୍ଲାଉଡ୍ କ୍ଷେତ୍ରରେ ବଡ଼ ବିଦେଶୀ ନିବେଶ ମଧ୍ୟରୁ ଅନ୍ୟତମ । ଆମାଜନ ୱେବ୍ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍)ର ଡାଟା ସେଣ୍ଟର ନେଟ୍ୱର୍କକୁ ମୁମ୍ବାଇ ଏବଂ ହାଇଦ୍ରାବାଦରେ ବିସ୍ତାର କରାଯିବ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଭାରତରେ ଆମାଜନ୍ର ରେକର୍ଡ ୪୮ ବିଲିୟନ ଡଲାର ନିବେଶକୁ ସ୍ୱାଗତ । ଏହା ଆମ ଯୁବପିଢ଼ିଙ୍କ ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିବ । ଏହାସହିତ ଭାରତରେ ନିବେଶ କରିବା ପାଇଁ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକର ଆଗ୍ରହ ସ୍ପଷ୍ଟ ଜଣାପଡୁଛି ।
