ଭୁବନେଶ୍ୱର(ସତ୍ୟପାଠବ୍ୟୁରୋ): ରାଜଧାନୀ ଛାତି ଉପରେ ବିଭତ୍ସ ହତ୍ୟାକାଣ୍ଡ।  ଖଣ୍ଡଗିରି ଥାନା ଅଞ୍ଚଳରେ ଅପରାଧୀମାନେ ବାପା-ଭଉଣୀ ଆଗରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରାଯାଇଛି। ଏପରିକି ବାପା ଓ ଭଉଣୀଙ୍କ ଆଗରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନାହାନ୍ତି। ଆକ୍ରମଣରେ ବାପା ଓ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧି (୨୦)। ସେ ଯୁକ୍ତ-୩ ଦ୍ବିତୀୟ ବର୍ଷର ଛାତ୍ର ଥିଲେ।  ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କୃଷ୍ଣଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଅଭିଯୁକ୍ତମାନେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଛି। ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି। ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ମୃତ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଆକ୍ରମଣରେ ଶିକାର ହୋଇ କୋମା ସ୍ଥିତିକୁ ଚାଳିଯାଇଛନ୍ତି। ଭଉଣୀ ତାପସୀ ପାଢ଼ୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ହିମାଂଶୁଙ୍କୁ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଛି। ତାପସୀଙ୍କୁ ମଧ୍ୟ ଏମ୍ସରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ମୃତଦେହକୁ ପୋଲିସ ଜବତ କରିଥିବା ବେଳେ ଏମ୍ସରେ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ହିମାଂଶୁଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଶୋରଡ଼ା ବ୍ଲକରେ ହୋଇଥିବା ବେଳେ ସେ ୨୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଭୁବନେଶ୍ୱରେ ପରିବାର ସହ ରହୁଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ କୋଳଥିଆ ଅଞ୍ଚଳରେ ଥିବା ଭିଣୋଇ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ଜମିରେ ସେ ଏକ ଆଜବେଷ୍ଟ ଘର କରି ରହୁଛନ୍ତି। ବର୍ଷେ ତଳେ ହିମାଂଶୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ ରେକର୍ଡ କରିଥିବା ବୟାନ ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ପାଚେରୀ ଡେଇଁ ଦୁଇରୁ ତିନି ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଆସିଥିଲେ। କୃଷ୍ଣଙ୍କ ସହ ତାଙ୍କ ବାପା, ଭଉଣୀ ମଧ୍ୟ ଶୋଇଥିଲେ। ଅଭିଯୁକ୍ତମାନେ କବାଟ ଖୋଲି ଭିତରକୁ ପଶିଥିଲେ। ଏହାପରେ କୃଷ୍ଣଙ୍କୁ ସେମାନେ ଘରୁ ଡାକିଆଣି ନିକଟରେ ଲୁହାରଡରେ ଆକ୍ରମଣ କରିଥିଲେ। ବାପା ଓ ଭଉଣୀ ସେଠାକୁ ଆସି ବିରୋଧ କରିବା ସହ ଛଡାଛଡି କରିଥିଲେ। ହେଲେ ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ।