କଟକ(ସତ୍ୟପାଠ ବ୍ୟୁରୋ) : ମାଣିଆବନ୍ଧ ଗୁଳିକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ସରପଞ୍ଚଙ୍କ ସ୍ୱାମୀଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ। ଫୁଲବାଣୀରୁ ଅଭିଯୁକ୍ତକୁ କାବୁ କରାଯାଇଥିବା ବେଳେ, ଘଟଣାରେ ବ୍ୟବହୃତ ବନ୍ଧୁକ ଓ ଗାଡ଼ି ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ସେନା। ମାଣିଆବନ୍ଧରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ ଘଟଣାରେ ତଦନ୍ତ ଜାରି ରହିଥିବାବେଳେ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବା ମାଷ୍ଟରମାଇଣ୍ଡ ଚନ୍ଦନ ବୋଲି ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ, ଚନ୍ଦନ ହିଁ ସମଗ୍ର ଗୁଳିକାଣ୍ଡର ଯୋଜନା ପ୍ରସ୍ତୁତ କରିଥିଲା । ତାଙ୍କଠାରୁ ଜବତ ବନ୍ଧୁକ ଓ ଗାଡ଼ି ତଦନ୍ତକୁ ଆହୁରି ମଜବୁତ କରିବ ବୋଲି ପୋଲିସ କହିଛି । ଏହାପୂର୍ବରୁ ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଗୁଳିକାଣ୍ଡର ପ୍ରକୃତ କାରଣ, ଷଡ଼ଯନ୍ତ୍ରରେ ଆଉ କିଏ କିଏ ସାମିଲ ଥିଲେ ଏବଂ ଏହା ପଛରେ କୌଣସି ବଡ଼ ନେଟୱର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।