ମାଲକାନଗିରି (ସତ୍ୟପାଠ ବ୍ୟୁରୋ): ଆଜି ମାଲକାନଗିରି ବିମାନବନ୍ଦରରେ ହୋଇଛି ଟ୍ରାଏଲ ରନ। ଏୟାରଷ୍ଟ୍ରିପ୍ରେ ଇଣ୍ଡିଆ ୱାନ ଏୟାରର ପ୍ରଥମ ଟ୍ରାଏଲ୍ ଲ୍ୟାଣ୍ଡିଂ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ବିମାନଟି ଖାଲି ଥିବାବେଳେ ସଫଳ ଅବତରଣ ହୋଇଛି। ବିମାନଟି ଅବତରଣ ପରେ ପ୍ରଶାସନ ପକ୍ଷରୁ ପାରମ୍ପରିକ ୱାଟର କ୍ୟାନନ ସାଲ୍ୟୁଟ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ଯାହା ବିମାନ ସେବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ‘ଜୟପୁର-ମାଲକାନଗିରି’ ରୁଟ୍ରେ ଏହି ବିମାନ ସେବା ଆରମ୍ଭ ହେବା ଦ୍ଵାରା ଅଞ୍ଚଳର ଗମନାଗମନ ସୁଗମ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୀତିର ବିକାଶ ଗତିଶୀଳ ହେବ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରିବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ତେବେ ଟ୍ରାଏଲ ରନ୍ ପୂର୍ବରୁ ଭୁବନେଶ୍ୱରରୁ ଆସିଥିବା ସୁରକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ମନୋଜ ଦାସ ଏବଂ ଏରୋ ସେଫଗାର୍ଡର ସହକାରୀ ନିର୍ଦ୍ଦେଶକ ନୀରଜ ନାୟକ ମାଲକାନଗିରି ଏୟାରପୋର୍ଟର ତଦାରଖ କରିଥିଲେ। ସେମାନେ ରନୱେ, ସୁରକ୍ଷା ବ୍ୟବସ୍ଥା ଓ ଏୟାରପୋର୍ଟର ଭିତ୍ତିଭୂମି ସମୀକ୍ଷା କରିଥିଲେ। ସମସ୍ତ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିବା ପରେ ଆଜି ଟ୍ରାଏଲ ରନ ସଫଳ ଭାବେ କରାଯାଇଥିଲା। ଟ୍ରାଏଲ ରନ ସଫଳ ହେଲେ, ଖୁବଶୀଘ୍ର ମାଲକାନଗିରିରୁ ନିୟମିତ ବିମାନ ସେବା ଆରମ୍ଭ ହେବ, ଯାହା ଏହି ପଛୁଆ ଜିଲ୍ଲାର ଯୋଗାଯୋଗ ଓ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
