ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭାରତ ଏବଂ ଆମେରିକା ମଧ୍ୟରେ ଆଗାମୀ ୩ ରୁ ୪ ମାସ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି। ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ ଏବଂ କୃଷି, ପ୍ରଯୁକ୍ତିବିଦ୍ୟା, ଶକ୍ତି (ତେଲ ଓ ଗ୍ୟାସ୍) ତଥା ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ। ଲମ୍ବା ସମୟ ଧରି ଏହାକୁ ନେଇ ଅପେକ୍ଷା ରହିଥିବାବେଳେ ଏହା ଉପରେ ବଡ଼ ଅପଡେଟ୍ ମିଳିଛି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଯାଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମାନିଲାରେ ଆସିଆନ୍ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଉକ୍ତ ଆମେରିକୀୟ ଅଧିକାରୀ ଜଣକ କହିଛନ୍ତି ଯେ, ଚୁକ୍ତି ପ୍ରସ୍ତୁତ ରହିଛି। କାଗଜପତ୍ର କାର୍ଯ୍ୟ ପ୍ରାୟତଃ ଶେଷ ହୋଇଯାଇଛି। ଅଧିକାରୀ ଜଣକ କହିଛନ୍ତି ଯେ, ଏବେ କେବଳ ୱାଶିଂଟନ ପକ୍ଷରୁ ‘ଧାରା ୩୦୧’ ଅଧୀନରେ ବାଣିଜ୍ୟ ସହ ଜଡ଼ିତ ଯାଞ୍ଚ ସମ୍ପୂର୍ଣ୍ଣ ହେବାର ଅପେକ୍ଷା ରହିଛି। ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବାର ଉଦ୍ୟମ ଅଧୀନରେ ବଜାର ପହଞ୍ଚ ବଢ଼ାଇବା ଏବଂ ବାଣିଜ୍ୟ ସହ ଜଡ଼ିତ ବାଧକଗୁଡ଼ିକୁ କମ୍ କରିବା ନିମନ୍ତେ ୱାଶିଂଟନ ଏବଂ ନୂଆଦିଲ୍ଲୀ ଏକ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି। ଅଧିକାରୀଙ୍କ ଅନୁସାରେ, ଚୁକ୍ତି ପ୍ରାୟତଃ ଶେଷ ହୋଇଯାଇଛି। କେତେକ ପାରସ୍ପରିକ ପ୍ରସଙ୍ଗ ଉପରେ ମୋହର ବାଜିବ। ସେ ଆହୁରି କହିଛନ୍ତି ଯେ, ୬୦ ଦେଶ ସହ ଜଡ଼ିତ ‘ଧାରା ୩୦୧’ର ଏକ ଯାଞ୍ଚ ଚଳିତ ସପ୍ତାହ କିମ୍ବା ଆଗାମୀ କିଛି ସପ୍ତାହରେ ସମାପ୍ତ ହେବାର ଆଶା ରହିଛି । ଏହା ସମେତ ଅନ୍ୟାନ୍ୟ ଯାଞ୍ଚ ଶେଷ ହେବା ପରେ ଭାରତ ସମେତ ଅନ୍ୟାନ୍ୟ ଦେଶରେ ବି ପ୍ରଗତି ଦେଖିବାକୁ ମିଳିବ । ୱାଶିଂଟନ ପୂର୍ବରୁ ହିଁ ଭାରତ ସମେତ କେତେକ ଦେଶଗୁଡ଼ିକ ଉପରେ ୧୨.୫% ପର୍ଯ୍ୟନ୍ତ ନୂଆ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦେଇସାରିଛି। ଏହି ଦେଶଗୁଡ଼ିକ ବିରୋଧରେ ଅଭିଯୋଗ ରହିଛି ଯେ, ଏମାନେ ଜବରଦସ୍ତ ଶ୍ରମରୁ ପ୍ରସ୍ତୁତ ଉତ୍ପାଦର ବାଣିଜ୍ୟ ରୋକିବାରେ ବିଫଳ ହୋଇଛନ୍ତି ।