ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ମହାପ୍ରଭୁ ଯେତିକି ରସିକ ସେତିକି ଶୃଙ୍ଗାର ପ୍ରିୟ। ବର୍ଷକ ବାର ମାସ ରେ ମହାପ୍ରଭୁ ଅନେକ ବେଶରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ତେବେ ମହାପ୍ରଭୁଙ୍କ ସୁନା ବେଶ ସବୁଠାରୁ ଅନନ୍ୟ ଓ ଦୁର୍ଲ୍ଲଭ ବେଶ ଅଟେ। ଶ୍ରୀ ମନ୍ଦିରର ରତ୍ନ ସିଂହାସନ ଉପରେ ମହାପ୍ରଭୁ ୪ ଥର ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଦଶହରା ଦିନ ସୁନା ବେଶରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। କିନ୍ତୁ ବାହୁଡ଼ା ଏକାଦେଶୀ ବା ହରି ଶୟନ ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁ ଯେଉଁ ସୁନା ବେଶରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ତାହାକୁ ବ୍ରାହ୍ମଣଙ୍କ ଠାରୁ ଚଣ୍ଡାଳ ଆଉ ସ୍ଥାନୀୟ ଅଧିବାସୀଙ୍କ ଠାରୁ ଆରମ୍ଭ କରି ବିଦେଶୀ ଭକ୍ତ ମାନେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥାନ୍ତି। ଶ୍ରୀଜିଉ ମାନଙ୍କର ଏହି ସୁନା ବେଶ କୁ ରାଜରାଜେଶ୍ୱର ବେଶ ଓ ବଡ଼ତଢାଉ ବେଶ ମଧ୍ୟ କୁହାଯାଇଥାଏ। ହରି ଶୟନ ଏକାଦଶୀ ତିଥିରେ ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଭିତରଛୁ ମହାପାତ୍ର ସେବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ, ତଳିଛୁ ମହାପାତ୍ର ସେବକ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ବାଡ଼ରେ ଓ ପୁଷ୍ପାଳକ ସେବକମାନେ ଦେବୀ ସୁଭଦ୍ରା ଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ,ତାଳଧ୍ଵଜ ଓ ଦେବଦଳନ ରଥରେ ଶ୍ରୀ ବିଗ୍ରହ ମାନଙ୍କୁ ସୁନା ବେଶରେ ସଜ୍ଜିତ କରିଥାନ୍ତି। ଗଜପତି କପିଳେନ୍ଦ୍ର ଦେବ କୃଷ୍ଣା ନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ସେ ବହୁ ରାଜ୍ୟର ରାଜାଙ୍କୁ ପରାସ୍ତ କରି ସେମାନଙ୍କ କିରୀଟ, ମୁକୁଟ, ସିଂହାସନ ଓ ମହଣ ମହଣ ସୁନା ଓ ରତ୍ନ ଅଳଙ୍କାର ୧୬ ଟି ହାତୀ ପିଠିରେ ବୋଝାଇ କରି ପୁରୀ ଆଣିଥିଲେ । ସେହି ସବୁ ସୁନା ଓ ରତ୍ନ କୁ ନିଜେ ବ୍ୟବହାର ନ କରି ମହାପ୍ରଭୁ ଙ୍କୁ ଦାନ କରି ଦେଇଥିଲେ। ସେହି ସବୁ ସୁନା ଓ ରତ୍ନ ରେ ବିଭିନ୍ନ ଅଳଙ୍କାର ନିର୍ମାଣ ହୋଇ ଶ୍ରୀ ଜିଉ ମାନଙ୍କର ସୁନା ବେଶ ଆରମ୍ଭ ହୋଇଥିଲା। ଆଉ ଏକ କିମ୍ୱଦନ୍ତୀ ହେଉଛି ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ମାସ ଏକାଦଶୀ ଅର୍ଥାତ ହରି ଶୟନ ଏକାଦଶୀ ତିଥି ରେ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ କରିଥିଲେ। ସେହି ଦିନ ଠାରୁ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ ହୋଇ ଆସୁଛି। ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୋଇ ଆସୁଥିବା ମହାପ୍ରଭୁ ଙ୍କ ଦୁର୍ଲ୍ଲଭ ସୁନା ବେଶ କୁ ସବୁ ବର୍ଗର ଲୋକ, ବିଦେଶୀ ଭକ୍ତ ମାନେ ଦର୍ଶନ କରି ପାରୁ ନାହାଁନ୍ତି ବୋଲି ବଡ଼ତଢାଉ ସେବକ ଗଜପତି କପିଳେନ୍ଦ୍ର ଦେବ ଙ୍କୁ ବିନତି କରି ଶ୍ରୀ ବିଗ୍ରହ ମାନଙ୍କୁ ରଥ ଉପରେ ସୁନା ବେଶ ରେ ସଜ୍ଜିତ କରିବାକୁ ଅନୁରୋଧ କରିଥିଲେ। ଏହାପରେ ରାଜା ତାଙ୍କ ବିନତି କୁ ରଖି ହରି ଶୟନ ଏକାଦଶୀ ତିଥି ରେ ରଥ ଉପରେ ସୁନା ବେଶ ଅନୁଷ୍ଠିତ କରିଥିଲେ। ସେହି ଦିନ ଠାରୁ ରଥ ଉପରେ ଶ୍ରୀ ବିଗ୍ରହ ମାନଙ୍କ ସୁନା ବେଶ ଅନୁଷ୍ଠିତ ହୋଇ ଆସୁଛି। ଶ୍ରୀମନ୍ଦିର ପୁସ୍ତକରୁ ଜଣାଯାଏ ଯେ, ରଥ ଉପରେ ମହଣ ମହଣ ସୁନାରେ ଶ୍ରୀବିଗ୍ରହ ମାନଙ୍କୁ ସଜ୍ଜିତ କରାଯାଇଥାଏ। ୧୩୮ ପ୍ରକାର ର ରତ୍ନ ଖଚିତ ଅଳଙ୍କାର ଲାଗି ହେଉଥିଲା। ଏବେ ଆଉ ଏତେ ପରିମାଣ ର ଅଳଙ୍କାର ଲାଗି ହେଉନାହିଁ । ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ରୁ ପାଳିଆ ମେକାପ ଖୁଣ୍ଟିଆ ସେବକ ଜଣେ ମାଜିଷ୍ଟେଟ ଙ୍କ ଉପସ୍ଥିତି ରେ ଗଣତି କରି ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାର ସବୁ ବାହାରକୁ କାଢିବା ପରେ ସେ ସବୁ କୁ ତିନି ରଥ କୁ ବୋହି ନିଆଯାଏ। ରଥ ଉପରେ ଦଇତାପତି ସେବକ, ପୁଷ୍ପାଳକ ସେବାୟତ, ଖୁଣ୍ଟିଆ ମେକାପ ସେବାୟତ, ତଳଛୁ, ଭିତରଛୁ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ସୁନା ବେଶରେ ସଜ୍ଜିତ କରିଥାନ୍ତି। ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ କିରୀଟ, ଶ୍ରୀ ପୟର, ଶ୍ରୀ ଭୁଜ, ସ୍ଵର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ଓଢ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରୀଖଣ୍ଡିକା, କମରପଟି ପ୍ରଭୃତି ଅଳଙ୍କାର ଲାଗି କରାଯାଉଥିବା ବେଳେ ବଡ଼ଠାକୁର ଶ୍ରୀ ବଳଭଦ୍ର ଙ୍କୁ କିରୀଟ, ଶ୍ରୀ ପୟର, ଶ୍ରୀ ଭୁଜ, ହଳ ଓ ମୂଷଳ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡା ମାଳି, ବାଘ ନଖ ମାଳି, ସେବତୀ ମାଳି, ତିଳକ,ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଅଳଙ୍କାର ଲାଗି କରାଯାଇଥାଏ। ଦେବୀ ସୁଭଦ୍ରାଙ୍କୁ କିରୀଟ, କାନ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଘାଗଡା ମାଳି, ସେବତୀ ମାଳି, କଦମ୍ବ ମାଳି, ତଗଡି ପ୍ରଭୃତି ଅଳଙ୍କାର ଲାଗି କରାଯାଇଥାଏ। ମହଣ ମହଣ ସୁନା ଓ ରତ୍ନ ଖଚିତ ଅଳଙ୍କାର ରେ ଭୂଷିତ ହୋଇ ଶ୍ରୀ ଜିଉ ମାନେ ରଥ ଉପରେ ଝଟକି ଉଠନ୍ତି। ଏହି ଦୁର୍ଲ୍ଲଭ ଓ ଅନନ୍ୟ ସୁନା ବେଶ ଦେଖି ଭକ୍ତ ମାନେ ବିମୋହିତ ହୋଇ ପଡ଼ିଥାନ୍ତି।
