କଳାହାଣ୍ଡି(ସତ୍ୟପାଠ ବ୍ୟୁରୋ): ସ୍ତ୍ରୀ ଆଗରେ ସ୍ବାମୀକୁ ନିର୍ମମ ହତ୍ୟା କରାଯାଇଛି। ସାମାନ୍ୟ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସ୍ବାମୀଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁମଜୋର ଗାଁରେ ଦେଖିବାକୁ ମିଳିଛି। ମୃତକ ହେଲେ ୫୦ ବର୍ଷୀୟ ସୁବେ ଶବର । ସୂଚନା ଅନୁସାରେ, ସୁବେ ଶବର ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ଶୁକ୍ରବାର ଚାଷ ଜମିକୁ କାମ ପାଇଁ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୪ଟା ବେଳେ ଘରକୁ ଫେରୁଥିବା ସମୟରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଜଗନ୍ନାଥ ଶବର ଓ ଦେସେରାମ ଶବର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲାଠି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସୁବେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ସୁଦ୍ଧା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଜୟପାଟଣା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତ ଜଗନ୍ନାଥ ଓ ଦେସେରାମଙ୍କୁ ଗିରଫ କରିଛି ।