ଚଣ୍ଡିଗଡ଼(ସତ୍ୟପାଠବ୍ୟୁରୋ): ହରିୟାଣାରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି । ଭୋଟର ତାଲିକା ଯାଞ୍ଚ ସମୟରେ ପ୍ରାୟ ୩୪ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ୨୦ ହଜାର ୬୨୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ୨ କୋଟି ୬ ଲକ୍ଷରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିଥିଲେ । ରିପୋର୍ଟ ଅନୁଯାୟୀ, ୨୪ ଜୁଲାଇ ପର୍ଯ୍ୟନ୍ତ ମୋଟ ୨ କୋଟି ୬ ଲକ୍ଷ ୫୫ ହଜାର ୯୨୯ ଜଣ ଭୋଟରଙ୍କ ମଧ୍ୟରୁ ୧ କୋଟି ୭୨ ଲକ୍ଷ ୭୨ ହଜାର ୬୨୭ ଜଣ ଭୋଟର ନିଜର ଗଣନା ଫର୍ମ ଦାଖଲ କରିଛନ୍ତି । ଏହା ଏସଆଇଆର ପ୍ରକ୍ରିୟାରେ ଭୋଟରଙ୍କ ବ୍ୟାପକ ଅଂଶଗ୍ରହଣକୁ ଦର୍ଶାଉଛି । ଏସଆଇଆର ଯାଞ୍ଚ ସମୟରେ ୨୪.୧୩ ଲକ୍ଷ ଭୋଟର ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଅନୁପସ୍ଥିତ କିମ୍ବା ଅନ୍ୟ ଶ୍ରେଣୀରେ ଥିବା ଜଣାପଡ଼ିଥିଲେ । ସେହିପରି ୬.୬୬ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୨.୦୪ ଲକ୍ଷ ଭୋଟର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ସାମିଲ ଥିବା ଚିହ୍ନଟ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଯେଉଁ ପ୍ରକୃତ ଭୋଟରଙ୍କ ନାମ କୌଣସି କାରଣରୁ ଡ୍ରାଫ୍ଟ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ଦାବି ଓ ଆପତ୍ତି ଅବଧି ମଧ୍ୟରେ ଆବେଦନ କରିପାରିବେ । ୩୧ ଜୁଲାଇରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଫର୍ମ-୬ ଦାଖଲ କରି ନାମ ଯୋଡ଼ିବା ପାଇଁ ଆବେଦନ କରାଯାଇପାରିବ । ଏହା ସହ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କୁ କେବଳ ଗୋଟିଏ ସ୍ଥାନର ଭୋଟର ତାଲିକାରେ ରଖାଯିବ । ଦାବି ଓ ଆପତ୍ତି ପ୍ରକ୍ରିୟା ଜୁଲାଇ ୩୧ରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅକ୍ଟୋବର ୩ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
