ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ୟୁକ୍ରେନ ଉପରୁ ସହାୟତାର ହାତ ଉଠାଇ ଦେଇଛି ଆମେରିକା। ୟୁକ୍ରେନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ଧୋକା ଦେଇଥିବାବେଳେ ‘ପ୍ୟାଟ୍ରିୟଟ୍ ଇଣ୍ଟରସ୍ପେଟର ଟେକ୍ନୋଲୋଜି’ ଦେବାକୁ ମନା କରିଦେଇଛନ୍ତି। ଏପରିକି ନିଜେ ତିଆରି କରିବାର ଅନୁମତି ମଧ୍ୟ ଆମେରିକା ଦେଇ ନାହିଁ। ୟୁକ୍ରେନ୍‌ ଉପରୁ ଟ୍ରମ୍ପ ହାତ ଉଠାଇ ମାତ୍ରେ ଏପଟେ ରୁଷ କରିଛି ବଡ଼ ହମଲା। ୟୁକ୍ରେନ୍ ଉପରେ ରୁଷ ରାତିସାରା ୨୭ ବାଲାଷ୍ଟିକ୍ ମିସାଇଲ ମାଡ କରିଛି। ବଦଳରେ ୟୁକ୍ରେନ୍ କେବଳ ଗୋଟିଏ ହିଁ ମିସାଇଲ ନଷ୍ଟ କରିପାରିଛି। ବାକି ୨୬ ମିସାଇଲ କିଭ୍ ସହିତ ବହୁ ସହରରେ ପ୍ରବଳ କ୍ଷୟକ୍ଷତି କରିଛି। ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଜବାବରେ ୟୁକ୍ରେନ୍ ମଧ୍ୟ କୃଷ୍ଣସାଗର (ବ୍ଲାକ ସି)ରେ ଏକ ବିଶାଳ କଣ୍ଟେନର ଜାହାଜକୁ ବୁଡାଇ ଦେଇଛି। ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦେଶ ପାଖରେ ଏବେ ପାଟ୍ରିୟଟ୍ ଇଣ୍ଟରସ୍ପେଟର ମିସାଇଲର ମଧ୍ୟ ପ୍ରବଳ ଅଭାବ ରହିଛି। ସେ କହିଛନ୍ତି, ଏହି କାରଣରୁ ରୁଷ ଲଗାତାର ବାଲାଷ୍ଟିକ୍ ମିସାଇଲ ଦ୍ବାରା ଆକ୍ରମଣ କରୁଛି। ଜେଲେନସ୍କି ପାଶ୍ଚାତ୍ୟ ଦେଶଙ୍କୁ ଅପିଲ କରିଛନ୍ତି, ପାଟ୍ରିୟଟ୍ ସିଷ୍ଟମ ଗୋଦାମରେ ରଖିବା ବଦଳରେ ଏବେ ୟୁକ୍ରେନକୁ ଦିଆଯାଉ। କାରଣ ଇଣ୍ଟରସ୍ପେଟର ଲୋକଙ୍କ ଜୀବନ ବଞ୍ଚାଇ ପାରିବ।

କିଛି ସପ୍ତାହ ପୂର୍ବେ ନାଟୋ ସମ୍ମିଳନୀରେ, ଟ୍ରମ୍ପ୍ ସଙ୍କେତ ଦେଇଥିଲେ ଯେ ଆମେରିକା ୟୁକ୍ରେନକୁ ନିଜର ପାଟ୍ରିଅଟ୍ ଇଣ୍ଟରସେପ୍ଟର ବିକଶିତ କରିବାକୁ ଅନୁମତି ଦେଇପାରେ। ସେ କହିଥିଲେ ଏପରି ସମ୍ବେଦନଶୀଳ ଟେକ୍ନୋଳୋଜି ଯୋଗାଇବା ସହଜ ନୁହେଁ। ଆମେରିକାକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ। ସେ ଏହା ମଧ୍ୟ କହିଥିଲେ ଯେ ଭବିଷ୍ୟତରେ ଏପରି ଟେକ୍ନୋଲୋଜିର ଅପବ୍ୟବହାର ହେବାର ଆଶଙ୍କାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ। ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ, ୟୁକ୍ରେନ ଉପରେ ରୁଷ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲା, ଯେଉଁଥିରେ ରାଜଧାନୀ କିଭ ସହିତ ସୁମି, ଖାରକିଭ ଏବଂ ପୋଲ୍ଟାଭାକୁ ଟାର୍ଗେଟ କରାଯାଇଥିଲା।