ଥିରୁଅନନ୍ତପୁରମ(ସତ୍ୟପାଠ ବ୍ୟୁରୋ): ପ୍ରବଳ ବର୍ଷା ଯୋଗୁ କେରଳରେ ବନ୍ୟା ବିଭିଷିକା। କେଉଁଠି ଭୂସ୍ଖଳନ ତ କେଉଁଠି ଜଳବନ୍ଦି ସମସ୍ୟାରେ ଲୋକେ ଜୁଝି ହେଉଛନ୍ତି। ପ୍ରବଳ ବର୍ଷା ଯୋଗୁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ୮ ଜଣ ବ୍ୟକ୍ତି ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭି ଡି ସତୀଶନ ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟରେ ବ୍ୟାପକ ସମ୍ପତ୍ତି ନଷ୍ଟ ହେବା ସହ ୨୭ଟି ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି ଏବଂ ୧୯୬ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ ୫,୭୯୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ରାଜ୍ୟ ସାରା ଖୋଲାଯାଇଥିବା ୨୦୯ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସରକାର ମୃତକଙ୍କ ପରିବାର ଏବଂ ବାସଗୃହ ତଥା ଜୀବିକା ହରାଇଥିବା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶନିବାର ଅପେକ୍ଷା ରବିବାର ବର୍ଷାର ପରିମାଣ କମିଥିଲେ ମଧ୍ୟ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ରାଜସ୍ୱ ମନ୍ତ୍ରୀ ଏ ପି ଅନିଲକୁମାର ଗଣମାଧ୍ୟମକୁ କହିଛନ୍ତି ଯେ ବନ୍ୟା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି।