ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ମହାକାଶରେ ଇତିହାସରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନ୍‌ଙ୍କ ନୂଆ ମାଇଲ ଖୁଣ୍ଟ। ସେ ତାଙ୍କର ପ୍ରଥମ ସ୍ପେ ଓ୍ବାକ ସଫଳତାର ସହ ଶେଷ କରିଛନ୍ତି । ନାସାର ଏହି ମହାକାଶଚାରୀ ଗୁରୁବାର ପ୍ରାୟ ୬.୩୦ ଘଣ୍ଟାର ସ୍ପେସ୍‌ୱାକ୍ ଆରମ୍ଭ କରିଥିଲେ । ତାଙ୍କ ସହ ଥିଲେ ନାସାର ଅନ୍ୟତମ ମହାକାଶଯାତ୍ରୀ ଜେସିକା ମିର୍ । ମହାକାଶ କେନ୍ଦ୍ର ବାହାରେ ଉଭୟ କାମ କରିବେ । ସ୍ପେସ୍ ଷ୍ଟେସନ୍‌ରେ ବିଜୁଳି ବ୍ୟବସ୍ଥାକୁ ମଜଭୁତ କରିବା ଏହି ମିଶନର ଉଦ୍ଦେଶ୍ୟ, ଯାହା ଫଳରେ ଚଳିତ ବର୍ଷ ଶେଷରେ ଏଥିରେ ନୂଆ ସୌର ପ୍ୟାନେଲ ଲଗାଯାଇ ପାରିବ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀଠୁ ପ୍ରାୟ ୪୦୦ କିମି ଉପରେ ପରିକ୍ରମା କରୁଛି । ଷ୍ଟେସନ୍ ବାହାରେ ଅନେକ କାମ ଅଛି ଯାହା ଭିତରେ ରହି ହୋଇପାରିବ ନାହିଁ । ସେଥିପାଇଁ ମହାକାଶଯାତ୍ରୀଙ୍କୁ ସ୍ୱତନ୍ତ୍ର ସ୍ପେସ୍ସୁଟ୍ ପିନ୍ଧି ଷ୍ଟେସନ୍ ବାହାରକୁ ଯିବାକୁ ପଡ଼େ । ଅନିଲଙ୍କର ଏହା ପ୍ରଥମ ସ୍ପେସ୍‌ୱାକ୍ ହୋଇଥିବା ବେଳେ ଜେସିକା ଏହା ପୂର୍ବରୁ ୫ ଥର ସ୍ପେସ୍‌ୱାକ୍ କରିଛନ୍ତି । ଉଭୟଙ୍କ କାମ ହେଲା ସ୍ପେସ୍ ଷ୍ଟେସନର କ୍ୱେଷ୍ଟ ଏୟାରଲକରୁ ବାହାରି ଷ୍ଟେସନର ୩ବି ପାୱାର ଚ୍ୟାନେଲରେ ନୂଆ ହାର୍ଡୱେର ଲଗାଇବା ।

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ୨୦୦୦ ମସିହାରୁ ମହାକାଶରେ ନିରନ୍ତର କାମ କରୁଛି । ସେଥିପାଇଁ ସମୟ ସମୟରେ ଏଥିରେ ମରାମତି ଓ ନୂଆ ଉପକରଣ ଲଗାଇବାକୁ ପଡ଼େ । ଏହି ମିଶନ ୟୁଏସ୍ ସ୍ପେସ୍‌ୱାକ୍-୯୬ ନାମରେ ପରିଚିତ । ସଦ୍ୟ ସ୍ପେସ୍‌ୱାକ୍ ସହିତ ସ୍ପେସ୍ ଷ୍ଟେସନ୍ ପାଇଁ ସ୍ପେସ୍‌ୱାକ୍ ସଂଖ୍ୟା ୨୮୧ ହୋଇଛି । ଏହା ଅଗଷ୍ଟର ପ୍ରଥମ ସ୍ପେସ୍‌ୱାକ୍ । ଆସନ୍ତା ୧୩ରେ ୨ୟ ସ୍ପେସ୍‌ୱାକ୍ ହେବ, ଏଥିରେ ଷ୍ଟେସନରେ ଯୋଗାଯୋଗ ଆଣ୍ଟିନାକୁ ବଦଳାଯିବ । ତା’ପରେ ୨୫ ତାରିଖ ପୁଣି ସ୍ପେସ୍‌ୱାକ୍ ହେବ । ଏଥିରେ ପାୱାର କେବଲ, ଡାଟା ସିଷ୍ଟମ୍ ଓ ଡକିଂରେ ବ୍ୟବହୃତ କିଛି ଉପକରଣକୁ ବଦଳାଯିବ ।