ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ସତ୍ୟପାଠ ବ୍ୟୁରୋ : ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଏହା ଏକ ସଂଯୋଗ ଯେ ଜନ୍ମମାସରେ ତଥା ୯୮ତମ ଜନ୍ମଦିନ ପାଳନର ୩ ଦିନ ପରେ ତାଙ୍କର ଦେହାବସାନ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଚିକିତ୍ସାଧିନ ଥିଲେ । ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅସୁସ୍ଥତା କାରଣରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି ।

ଭବାନୀ ଚରଣ ଜଣେ ଗାନ୍ଧୀବାଦୀ ନେତା ଭାବେ ଜଣାଶୁଣା । ସ୍ୱର୍ଗତ ଭବାନୀ ପଟ୍ଟନାୟକ ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । । ଏପରିକି ସେ ୧୯୪୨ ଭାରତଛାଡ ଆନ୍ଦୋଳନରେ ସକ୍ରିୟ ଭାବେ ଯୋଗ ଦେଇଥିଲେ ।  ସେ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ସେ କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ଏକାଧାରରେ ଜଣେ ଦେଶପ୍ରେମୀ, ବିଶିଷ୍ଟ ରାଜନୀତିଜ୍ଞ ଓ ସମାଜସେବୀ ଭାବେ ପରିଚିତ ଭବାନୀ ଶଙ୍କର ୧୯୬୧, ୧୯୬୬ ଓ ୧୯୭୮ରେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୨ ମସିହା ମେ ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ଭବାନୀ ପଟ୍ଟନାୟକ ଦେଶର ବହୁ ବରିଷ୍ଠ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଭାବେ ସେ ବେଶ୍ ଜଣାଶୁଣା ଥିଲା । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୃତ୍ୟୁପୂର୍ବରୁ ସେ ଶରୀର ଦାନ କରିଯାଇଛନ୍ତି ।

ପଦ୍ମଶ୍ରୀ ଭବାନୀ ଚରଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ରାଜନେତା, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ ଆଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Related Posts