(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଭୟାବହତା ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ଘୋଷଣା କରିଛନ୍ତି । ବିରୋଧୀ ଏବଂ ବିଭିନ୍ନ ରାଜ୍ୟ ସରକାର ସମସ୍ତ ଦେଶବାସୀଙ୍କୁ ମାଗଣା ଟିକା ଦେବା ପାଇଁ ଦାବି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏଥିରେ ସହମତି ଜଣାଇଛନ୍ତି। ପୂର୍ବରୁ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣା ଟିକା ଦେଉଥିବା ବେଳେ ଆଜି ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗଣା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀ ମାନଙ୍କଠାରୁ ଟିକା କିଣି କରି ସିଧାସଳଖ ରାଜ୍ୟ ସରକାରଙ୍କୁ ମାଗଣା ଯୋଗାଇଦେବେ ବୋଲି ପିଏମ୍ ମୋଦୀ ଆଜି କହିଛନ୍ତି। କେନ୍ଦ୍ର ସରକାର ଉତ୍ପାଦନର ୭୫% ଟିକା ନିଜେ କିଣିବେ ଓ ରାଜ୍ୟ ସରକାରମାନଙ୍କୁ ମାଗଣାରେ ଦେବେ। ବଳକା ୨୫% ଘରୋଇ ହସ୍ପିଟାଲ କିଣିବେ। ଏହି ୨୫% ଟିକା ଲୋକମାନେ ଟଙ୍କା ଦେଇ ଗ୍ରହଣ କରିପାରିବେ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଜୁନ୍ ୨୧ ଅର୍ଥାତ୍ ସୋମବାର ଠାରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇଦେବେ । ଏବଂ ଟିକା ପାଇଁ ରାଜ୍ୟ ସରକାରଙ୍କୁ କିଛି ବି ଖର୍ଚ୍ଚ କରିବାକୁ ପଡ଼ିବନି ବୋଲି ପ୍ରଧାନମନ୍ତ୍ରୀ ଆଶ୍ବସ୍ତ କରିଛନ୍ତି । ଉତ୍ପାଦିତ ଟିକାର ୭୫% କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଯୋଗାଇ ଦେବେ। ତେବେ ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ତେବେ ପ୍ରାଇଭେଟ୍ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଲୋକଙ୍କୁ ଟିକା ଦେବେ । ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ ବୋଲି ପିଏମ୍ କହିଛନ୍ତି। ତେବେ ୩୦ ମିନିଟ୍ ର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାରଙ୍କ ସଫଳତା କହିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି ଯେ ୨୦୧୪ରେ ଭାରତର ଟିକାର କଭରେଜ ୬୦% ଥିଲା ବର୍ତ୍ତମାନ ଏହା ୯୦%କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍ ୧୯ ତାରିଖରେ, କେନ୍ଦ୍ର ସରକାର ଘୋଷଣା କରିଥିଲା ଯେ ମେ ୧ ରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କେନ୍ଦ୍ର ସରକାର ୫୦ ପ୍ରତିଶତ ଟିକା କିଣି ମାଗଣାରେ ଟିକା ଦେବେ କିନ୍ତୁ ୧୮ ରୁ ୪୪ ବର୍ଷର ଲୋକଙ୍କ ପାଇଁ ରାଜ୍ୟ ସରକାର ମାନେ ଟିକା କମ୍ପାନୀ ଗୁଡିକ ଠାରୁ ଟିକା କିଣି ପାରିବେ। ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥା ଗୁଡିକୁ ମଧ୍ୟ ଟିକା କିଣିବା ପାଇଁ ଅନୁମତି ଦେଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ଟିକା ନୀତିକୁ ନେଇ ବିରୋଧୀ ଏବଂ ରାଜ୍ୟ ସରକାର ମାନେ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ରର ଟିକା ନୀତିକୁ ନେଇ କଡା ସମାଲୋଚନା କରିଥିଲେ। ଟିକା କ୍ରୟର ସମସ୍ତ ତଥ୍ୟ ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏକାଠି ହୋଇ ମାଗଣା ଟୀକାକରଣ ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ଚିଠି ଲେଖିଥିଲେ।