(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟ ସରକାରଙ୍କ ହାତରୁ ଦିନକୁ ଦିନ ସରକାରୀ ଜମି ଖସିବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ୫୦୦ ଏକରରୁ ଅଧିକ ସରକାରୀ ଜମିକୁ ଲୋକ ମାନେ ଅକ୍ତିଆର କରିଥିବାବେଳେ ଉଚ୍ଛେଦ ପାଇଁ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ସହରରେ ଆଉ କେତେ ପରିମାଣରେ ଅବ୍ୟବହୃତ ସରକାରୀ ଜମି ମାଫିଆମାନଙ୍କ ହାତକୁ ଚାଲିଗଲାଣି ତାହାର ହିସାବ ହୋଇପାରୁ ନାହିଁ ।
ସୂଚନାନୁସାରେ, ଭୁବନେଶ୍ୱର ସହରରେ ସାଧାରଣ ପ୍ରଶାସନ ବିଭାଗ ଅଧିନରେ ମୋଟ୍ ୨୨,୯୦୦ ଏକର ଜମି ରହିଥିବା ବେଳେ ଏହି ସରକାରୀ ଜମି ମଧ୍ୟରୁ କେତେକ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି। ଏହି ଅବ୍ୟବହୃତ ଜମି ଗୁଡ଼ିକ ମଧ୍ୟରୁ କେତେ ଜମିକୁ ମାଫିଆମାନେ ଜବରଦଖଲ କରିନେଇଛନ୍ତି ତାହାର ବି ଆକଳନ ହୋଇପାରୁ ନାହିଁ ।
ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୫୦୦ ଏକରରୁ ଅଧିକ ଜମିକୁ ଲୋକ ମାନେ ବେଆଇନ୍ ଭାବେ ମାଡି ବସିଛନ୍ତି । କୋଟି କୋଟି ଟଙ୍କା ମୂଲ୍ୟର ଏହି ସରକାରୀ ଜମିକୁ ମୁକୁଳାଇବାପାଇଁ ସରକାର ୨୦୧୪ ମସିହାରୁ କେନ୍ଦ୍ରୀୟ ପ୍ରବର୍ତ୍ତନ ପର୍ଯ୍ୟବେକ୍ଷଣ କମିଟି ଗଠନ କରିଥିଲେ । ଏହି କମିଟିର କାମ ଥିଲା ଜବରଦଖଲ ହୋଇଥିବା ଜମିକୁ ମୁକୁଳାଇବା ।
କିନ୍ତୁ ଜମି ଜବରଦଖଲ କରିଥିବା ଲୋକ ମାନେ ୧୦ହଜାରରୁ ଅଧିକ ମାମଲା ରୁଜୁ କରୁଥିବାରୁ ଏହି ଜବରଦଖଲ ଜମିକୁ ମୁକୁଳାଯାଇ ପାରୁନାହିଁ । ମାମଲା ରୁଜୁ ହେଉଥିବା କାରଣରୁ ସରକାର ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବାବେଳେ ଜବରଦଖଲକାରୀମାନେ ଉକ୍ତ ଅବ୍ୟବହୃତ ସରକାରୀ ଜମି ଉପରେ ଘର, ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ଲାଭବାନ ହେଉଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏବେ ଅବ୍ୟବହୃତ ଜମି ଗୁଡିକରେ ‘ଏହା ସରକାରୀ ସମ୍ପତ୍ତି , ଜବରଦଖଲ ଦଣ୍ଡନୀୟ ଅପରାଧ’ ବୋଲି ବୋର୍ଡ ମଧ୍ୟ ମରାଯାଉଛି । ହେଲେ ସରକାର ଯେଉଁଠି ବୋର୍ଡ ମାରୁଛନ୍ତି ସେହିଠାରେ କିମ୍ବା ତାହାରି ଆଖପାଖରେ ରାତାରାତି ବସ୍ତି ସ୍ଥାପନା ହୋଇଯାଉଛି। ମାଫିଆମାନେ ସରକାରୀ ଜମିକୁ ପ୍ଲଟିଂ କରି ଶାଗମାଛ ଦରରେ ବିକ୍ରି କରି ମାଲାମାଲ୍ ହେଉଛନ୍ତି। ରାତାରାତି ସେଠାରେ ଘର ତିଆରି କରି ପାଣି ଓ ବିଜୁଳି ସଂଯୋଗ ଦେଇଦେଉଛନ୍ତି । ଏହାପରେ ଗଢି ଉଠୁଥିବା ଏହି ବସ୍ତିକୁ ସରକାରୀ ବାଵୁ ମାନେ ହଟାଇପାରୁ ନାହାନ୍ତି।
ଏହିଭଳି ଭାବେ ସହର ଭିତରେ ଓ ଆଖପାଖରେ ଶହ ଶହ କୋଟି ଟଙ୍କାର ଜମି ସରକାରଙ୍କ ହାତରୁ ଖସିବାରେ ଲାଗିଛି । ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଯେଉଁ ୫୦୦ ଏକରରୁ ଅଧିକ ଜମି ଜବରଦଖଲ ହୋଇଛି ତାହା ଭିତରେ ବାପୁଜୀନଗର ଠାରୁ ଆରମ୍ଭକରି ଶହୀଦନଗର, ଆଚର୍ଯ୍ୟବିହାର, ଜୟଦେବବିହାର, ଲକ୍ଷ୍ମୀସାଗର, ପଟିଆ, ଖଣ୍ଡଗିରି ଆଦି ମୂଲ୍ୟବାନ ଜମି ଥିବା ଅଞ୍ଚଳ ରହିଛି ।
ତେବେ କରୋନା ମହାମାରୀ ଭଳି ସଙ୍କଟ ସମୟରେ ସରକାରୀ ଜମି ଜବରଦଖଲ ଅଧିକ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସହରରେ ବସ୍ତିସଂଖ୍ୟା ବି ବଢିବାରେ ଲାଗିଛି । ଏପଟେ ସରକାର ଗତ ୫ବର୍ଷ ମଧ୍ୟରେ ଗୋଟିଏ ବି ବେଆଇନ୍ ବସ୍ତିକୁ ହଟାଇ ନାହାନ୍ତି। ଆଉ ସରକାରଙ୍କ ଏହି ଉଦାସୀନତା ଜମି ମାଫିଆମାନଙ୍କୁ ସାହାଯ୍ୟ କରୁଛି। ସାଧାରଣ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନହେଲେ ରାଜଧାନୀରେ ଯେଉଁ କିଛି ସରକାରୀ ଜମି ଅଛି ତାହା ବି ହାତରୁ ଖସିଯିବ ବୋଲି ଚର୍ଚ୍ଚା ହେଉଛି।
